ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଜବାବତଲବ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେରାଜ୍ୟ ସରକାରଙ୍କୁ ଜବାବତଲବ ନୋଟିସ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ । ଏହି ପ୍ରସଙ୍ଗରେ ଜବାବ ଦାଖଲ କରିବାକୁ ଓଡ଼ିଶା ମୁଖ୍ୟ ଶାସନ ସଚିବ ଓ ଆଇନ ସଚିବଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି।
ସୂଚନାଯୋଗ୍ୟ, ଇନକ୍ୱାରୀ ଅଫ୍ କମିଶନ ଆକ୍ଟ ଫଲୋ କରିନାହାନ୍ତି ରାଜ୍ୟ ସରକାର। ନଭେମ୍ବର ୨୦୧୮ରୁ ଜଷ୍ଟିସ ରଘୁବୀର ଦାସ କମିଶନ ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ସାରି ସରକାରଙ୍କ ଆଇନ ବିଭାଗକୁ ହସ୍ତାନ୍ତର କରିସାରିଥିବା ସତ୍ତ୍ୱେ କାହିଁକି ଏହାକୁ ସାର୍ବଜନୀନ କରୁ ନାହାନ୍ତି ସରକାର। ଏହି ଆବେଦନ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସମାଜସେବୀ ଦିଲ୍ଲୀପ ବରାଳ। ମାମଲାକୁ ଗ୍ରହଣ କରି ହାଇକୋର୍ଟ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି। ଆସନ୍ତା ଜୁଲାଇ ୧୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ଧାର୍ଯ୍ୟ ହୋଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନୁପ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୮ରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ କମିସନ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିଥିଲେ। ଚାବି ହଜିବା ପ୍ରସଙ୍ଗ ନେଇ ଜଷ୍ଟିସ୍‌ ରଘୁବୀର ଦାସ କମିସନଙ୍କ ସଚିବ ଗୃହ ବିଭାଗ ଅନୁ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ତଦନ୍ତ କମିସନ୍‌ ରାଜ୍ୟ ସରକାରଙ୍କ ଆଇନ ବିଭାଗ ଓ ଗୃହ ବିଭାଗକୁ ୩୨୪ ପୃଷ୍ଠାର ଏହି ତଦନ୍ତ ରିପୋର୍ଟ ୨୦୧୮ ନଭେମ୍ବର ୩୦ରେ ପ୍ରଦାନ କରିଥିଲେ। ସେ ସମୟରେ ଏ ବାବଦକୁ ରାଜ୍ୟ ସରକାର ରାଜକୋଷରୁ ୨୨ଲକ୍ଷ ୨୭ହଜାର ୯୧୮ ଟଙ୍କା ଖର୍ଚ୍ଚ କରିଥିଲେ।  ଏହି ରିପୋର୍ଟ ଦାଖଲ ହେବା ଚାରି ବର୍ଷ ପୂରିଯାଇଛି। ତଥାପି ରିପୋର୍ଟ ସାର୍ବଜନୀନ ହୋଇପାରିନି। ଶେଷ ଥର ପାଇଁ ୧୯୮୫ ମସିହାରେ ରତ୍ନଭଣ୍ଡାର ଖୋଲାଯାଇ ଇନଭେଣ୍ଟରି କରାଯାଇଥିଲା। ଭିତର ରତ୍ନଭଣ୍ଡାର ଖୋଲିବାକୁ ନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଓ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ପ୍ରଶାସନିକ ଅଧିକାରୀ ୨୦୧୮ ଏପ୍ରିଲରେ ଭିତର ରତ୍ନଭଣ୍ଡାର ଖୋଲିବା ନେଇ ପଦକ୍ଷେପ ନେଇଥିଲେ। ତେବେ ହଠାତ ରତ୍ନଭଣ୍ଡାର ଚାବି ହଜିଯାଇଥିବା ତଥ୍ୟ ସେବାୟତଙ୍କ ମାଧ୍ୟମରେ ପଦାକୁ ଆସିଲା। ଚାବି ହଜିବା ଘଟଣାକୁ ନେଇ ସମଗ୍ର ରାଜ୍ୟ ଓ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା।

ରାଜ୍ୟ ସରକାର ଚାବି ହଜିବା ଘଟଣା ତଦନ୍ତ ପାଇଁ ଜଷ୍ଟିସ ରଘୁବୀର ଦାସ କମିଶନ ବସାଇଥିଲେ। ଏଥିପାଇଁ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦ ମାସ ତଳୁ କମିଶନ ୩୨୪ ପୃଷ୍ଠାର ରିପୋର୍ଟ ପ୍ରଦାନ କରିଥିଲେ। କିନ୍ତୁ ଏଯାଏଁ ତଦନ୍ତ ରିପୋର୍ଟକୁ ଚାପି ରଖାଯାଇଛି। ରତ୍ନଭଣ୍ଡାର ତୁରନ୍ତ ଖୋଲି ଯାଞ୍ଚ ହେବା ସହ ରିପୋର୍ଟ ସାର୍ବଜନୀନ କରିବାକୁ ଦାବି କରାଯାଇଛି। ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର ଚାବିକୁ ହଜାଇ ଦେଇଥିଲା ରାଜ୍ୟ ପ୍ରଶାସନ ନିକଟରେ ଶ୍ରୀମନ୍ଦିରର ୨ଟି ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ହଜାଇ ଦେଇଥିଲେ। ଜଗନ୍ନାଥ ମନ୍ଦିର ପ୍ରଶାସନର ଉକ୍ତ ଦୁଇଟି ଫାଇଲକୁ ଖୋଜିବା ପାଇଁ ଆଇନ ବିଭାଗର ଉପସଚିବ ବିଭାଗୀୟ ସମସ୍ତ ଶାଖାକୁ ଚିଠି ଲେଖାଯିବା ବହୁ ଖୋଜାଖୋଜି ପରେ ଦିଇଟୁ ଫାଇଲ ମିଳିଥିବା ପ୍ରଶାସନ ସୂଚନା ଦେଇଛି ।

Leave A Reply

Your email address will not be published.