ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ତାତି ସାଙ୍ଗକୁ ଝଡ଼ ତୋଫାନ ସତର୍କତା । ଆଗାମୀ ୩ ଦିନ ଯାଏ ରାଜ୍ୟରେ ୨ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ପାଇବ ଦିନ ତାପମାତ୍ରା । ମାତ୍ର ଆଜି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୨ରୁ ୩ ଦିନ ନୁହେଁ, ବରଂ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ମୌସୁମୀ ଦକ୍ଷିଣ ଓଡ଼ିଶା ସମେତ ଦକ୍ଷିଣ ଛତିଶଗଡ଼ର କିଛି ଅଞ୍ଚଳ, ଉପକୂଳ ଆନ୍ଧ୍ରର ବାକି ଥିବା ଅଞ୍ଚଳ, ତେଲେଙ୍ଗାନା, ମହାରାଷ୍ଟ୍ରର କିଛି ଅଞ୍ଚଳରେ ଛୁଇଁବାକୁ ପାଗ ଅନୁକୂଳ ରହିଛି। ମୌସୁମୀ ଆସିବା ପୂର୍ବରୁ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସହ ଉପକୂଳରେ ଗରମ ସହ ଗୁଳୁଗୁଳି ଅନୁଭୂତ ହେବ।
ଅନ୍ୟପଟେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଘଡ଼ଘଡ଼ି ସହ ଝଡ଼ ତୋଫାନର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପାଇଁ ୧୩ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ଝଡ଼ ତୋଫାନ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୧୨ ତାରିଖ ଯାଏ ଝଡ଼ ତୋଫାନ ନେଇ ସତର୍କତା ଜାରି କରିଛି ଏଭଳି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ସେପଟେ ଆସନ୍ତା ୧୦ ତାରିଖ ଭିତରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ ।
ପ୍ରଥମେ ଦକ୍ଷିଣ ଓଡ଼ିଶାକୁ ପ୍ରବେଶ କରିବ । ପରେ ଅନ୍ୟ ଅଞ୍ଚଳକୁ ସ୍ପର୍ଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଛୁଇଁବା ପୂର୍ବରୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହୋଇପାରେ ପ୍ରାକ୍ ମୌସୁମୀ ବର୍ଷା । ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି ।