ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ଆଜିଠୁ ୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ଜୁଲାଇ ୪ ତାରିଖ ଉତର ଓଡିଶା ଏବଂ ତତସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଫଳରେ ଦକ୍ଷିଣ-ପଶ୍ଚିମ ମୌସୁମୀକୁ ଆହୁରି ସକ୍ରିୟ କରାଇବା ସହ ରାଜ୍ୟରେ ବର୍ଷାର ପରିମାଣକୁ ବଢାଇବ ବୋଲି କୁହାଯାଉଛି । ଖୁବ୍ ଶୀଘ୍ର ଏହାର ଚିତ୍ର ସ୍ପଷ୍ଟ ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।
ସୂଚନା ମୁତାବକ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଆଦି ଜିଲ୍ଲାର କେତେକ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହୋଇପାରେ । ସେହିପରି ଆସନ୍ତା କାଲି ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ନୂଆପଡ଼ା ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୪ ତାରିଖଠାରୁ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବ । ଯାଜପୁର, ଭଦ୍ରକ, ଢେଙ୍କାନାଳ ଓ କେନ୍ଦୁଝର ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ବାଲେଶ୍ବର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୁଳ, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼ ଓ ଖୋର୍ଧା ଜିଲ୍ଲାର କିଛି କିଛି ସ୍ଥାନରେ ବି ସେହିଦିନ ପ୍ରବଳ ବର୍ଷିପାରେ । ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ବୌଦ୍ଧ, ସୋନପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦୁଝର ଓ ନୂଆପଡ଼ା ଆଦି ଜିଲ୍ଲାରେ ୫ତାରିଖ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।