ବମପରଡାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଦୀର୍ଘ ୨୫ ବର୍ଷ ବିଜେଡିର ଶାସନରେ ଦେବଗଡ ଜିଲ୍ଲା ଅବହେଳିତ।ବିଶେଷକରି ଜିଲ୍ଲାର ବାରକୋଟ ବ୍ଲକର ଲୋକମାନଙ୍କ ତ୍ୟାଗ ଦ୍ବାରା ରେଙ୍ଗାଲି ଡ୍ୟାମ ହେବା ପରେ ବି ରାଜ୍ୟସରକାରଙ୍କ ପକ୍ଷରୁ ଜିଲ୍ଲାରେ ଜଳସେଚନର ସୁବ୍ୟବସ୍ଥା ହୋଇପା‌ରିନାହଁି। ଚାଷ ଜମିରେ ଜଳସେଚନ କରିବା ଲକ୍ଷ୍ୟରେ ବାରକୋଟ ବ୍ଲକରେ ରାଜାରାଜୁଡା ସମୟ‌ରୁ ନିର୍ମାଣ କରାଯାଇଥିବା ଡିପି କେନାଲ ବର୍ତ୍ତମାନ ପୁନରୁଦ୍ଧାର ‌ଅଭାବରୁ ପୋତି ହେବାକୁ ବସିଲାଣି।

ଜିଲ୍ଲାରେ ପାନୀୟ ଜଳ,ଶିକ୍ଷା,ସ୍ବାସ୍ଥ୍ୟ, ରୋଜାଗାର ବଡ ସମସ୍ୟା ହୋଇଛି। ରାଜ୍ୟର କିଛି ବାହାରିଆ ଲୋକ ଓଡିଶାକୁ ଲୁଟ କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି। ଏହାବିରୋଧରେ ଲୋକମାନେ ଭୋଟ ଦେଇ ରାଜ୍ୟରେ ଏକ କଲ୍ୟାଣକାରୀ ଓ ନିର୍ଣ୍ଣାୟକ ସରକାର ଗଠନ କରିବାର ସମୟ ଆସିଛି।ଏଥର ଦେବଗଡ ଜିଲ୍ଲାର ଯୁବକ/ଯୁବତୀଙ୍କ ସ୍ବାର୍ଥକୁ ସୁରକ୍ଷିତ ରଖିବା ପାଇଁ ବିଜେପି ସରକାର ଆସିବା ଦରକାର ବୋଲି ଆଜି ବାରକୋଟ ବ୍ଲକର ବମପରଡା ଗ୍ରାମରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।ଏହାପରେ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରାର୍ଥି ଶ୍ରୀ ପ୍ରଧ‌ାନ ନିଜର ସପକ୍ଷରେ ଏବଂ ବିଧାୟକ ପ୍ରାର୍ଥି ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ।

ବିଜେପି ଜିଲ୍ଲା ସଭାପତି ଅରୁଣ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ପ୍ରାର୍ଥି ଶ୍ରୀ ପାଣିଗ୍ରାହୀ,ବରିଷ୍ଠ ନାଗରିକ ସୁଧିର କପରଦାର, ବରିଷ୍ଠ ବିଜେପି ନେତା ହର ମୋହନ ପାଣି, ଜିଲ୍ଲା ସରପଂଚ ସଂଘ ସଭାପତି ସତ୍ୟ ନାରାୟଣ ପାଣି, ସାଧାରଣ ସଂପାଦକ ସଚ୍ଚିକାନ୍ତ ଦାଶ,ମୀନକେତନ ପ୍ରଧାନ, ଫକୀର ପ୍ରଧାନ, ଯୋଗେଶ ଚନ୍ଦ୍ର ପ୍ରଧ‌ାନଙ୍କ ସମେତ ବହୁ ବିଜେପି ନେତା ମଂଚାସୀନ ଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ବିଜେପି ଉପସଭାପତି ଭାରତ ଭୂଷଣ ପ୍ରଧାନ ପରିଚାଳନା କରିଥିଲେ। ଏହି ଅବସରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପ୍ରକାଶ ଆଚାର୍ଯ୍ୟ ଓ ଶରତ ଚନ୍ଦ୍ର ସାହୁଙ୍କ ନେତୃତ୍ବରେ ରିଆମାଳ ବ୍ଲକର ତାରଙ୍ଗ ପଂଚାୟତର ବହୁ କର୍ମୀ ବିଜେପି ସାମିଲ ହୋଇଥିଲେ।

Leave A Reply

Your email address will not be published.