ନୂଆଦିଲ୍ଲୀ(ନୂଆଦିଲ୍ଲୀ): ୬ଟି ଟିମ୍କୁ ନେଇ ଆରମ୍ଭ ହେବ ୨୦୨୩ରେ ମହିଳା ଆଇପିଏଲ ଟୁର୍ଣ୍ଣାମେଣ୍ଟ । ଆଇପିଏଲର ୧୫ଟି ସଂସ୍କରଣ ଲୋକପ୍ରିୟତା ଶିଖର ଛୁଇଁବା ପରେ ବିସିସିଆଇ ମହିଳା ଆଇପିଏଲ୍ ଆୟୋଜନ କରିବା ପାଇଁ ପ୍ରସ୍ତୁତ ହେଉଛି । ଆସନ୍ତା ସିଜନରୁ ମହିଳା ଆଇପିଏଲ୍ ଆୟୋଜନ କରାଯିବ ବୋଲି ବିସିସିଆଇ ଘୋଷଣା କରିସାରିଛି । ବର୍ତ୍ତମାନ ଉପଯୁକ୍ତ ସମୟ ଖୋଜା ଆରମ୍ଭ ହୋଇଛି । ଗତ କିଛି ଦିନ ହେଲା ମହିଳା ଆଇପିଏଲ୍ ପାଇଁ ବୈଠକ ଚାଲିଛି । ମୋଟ୍ ୬ଟି ଦଳକୁ ନେଇ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ ।
ଗତ ରବିବାର ଅନୁଷ୍ଠିତ ଆଇପିଏଲ୍ ଫାଇନାଲ୍ ସମୟରେ ମହିଳା ଆଇପିଏଲ୍ ପାଇଁ ସମୟ ବାହାର କରିବାକୁ ଆଲୋଚନା ହୋଇଥିଲା । ପ୍ରାଥମିକ ପର୍ୟ୍ୟୟରେ ମାର୍ଚ୍ଚ/ଏପ୍ରିଲ୍ କିମ୍ବା ସେପ୍ଟେମ୍ବର/ଅକ୍ଟୋବର ମଧ୍ୟରୁ ଗୋଟିଏ ସମୟକୁ ଚୟନ କରାଯିବ । ବିସିସିଆଇ ମହିଳା ଆଇପିଏଲ୍ ପାଇଁ ସମୟ ଚୂଡ଼ାନ୍ତ କରିବା ପୂର୍ବରୁ ଆଇସିସି ସହ ମଧ୍ୟ ଆଲୋଚନା କରିବାର ଯୋଜନା ରହିଛି ।