ରାଜରାଜେଶ୍ୱର ବେଶରେ ବିଶ୍ୱ ଦେଖିବ ମହାବାହୁଙ୍କ ଐଶ୍ୱର୍ଯ୍ୟ, ଜାଣନ୍ତୁ ସୁନାବେଶରେ କଣ ପିନ୍ଧନ୍ତି ଶ୍ରୀଜିଉ..

0

ପୁରୀ(ଓଡ଼ିଆ ନ୍ୟୁଜ୍‌): ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବିଭିନ୍ନ ବେଶ ମଧ୍ୟରୁ ସୁନାବେଶ ବା ରାଜରାଜେଶ୍ୱର ବେଶ ଅତ୍ୟନ୍ତ ଦୁର୍ଲଭ। ଇଏ ବେଶ ଏକମାତ୍ର ବେଶ ଯେଉଁଥିରେ ସ୍ପଷ୍ଟ ପରିସ୍ଫୁଟ ହୋଇଥାଏ ମହାପ୍ରଭୁଙ୍କ ଐଶ୍ୱର୍ଯ୍ୟ । ମହଣ ମହଣ ସୁନାରେ ସଜେଇ ହୁଅନ୍ତି ମହାବାହୁ । ତାଳଧ୍ୱଜ ରଥରେ ଆୟୁଧ ହଳମୂଷଳ ଧାରଣ କରି ଅପରୂପ ସୌନ୍ଧର୍ଯ୍ୟରେ ଝଲସନ୍ତି ବଡ଼ ଠାକୁର ବଳଦେବ । ଦେବଦଳନ ରଥରେ ଅବର୍ଣ୍ଣନୀୟ ଦିଶେ ଦେବୀ ସୁଭଦ୍ରାଙ୍କ ଶୋଭା। ସେହିପରି ନନ୍ଦିଘୋଷ ରଥରେ ଶଂଖଚକ୍ର ଆୟୁଧ ଧାରଣ କରି ଅନନ୍ତ କୋଟି ସୌନ୍ଦର୍ଯ୍ୟ ମଣ୍ଡନ କରନ୍ତି କୋଟି ଓଡ଼ିଆର ମଉଡ଼ମଣୀ କାଳିଆ ସାଆନ୍ତ।

ତେବେ ଠାକୁରମାନଙ୍କ ଏହି ବେଶ ପଛରେ ଏକ ମାହାତ୍ମ୍ୟ ରହିଛି । ଶ୍ରୀମନ୍ଦିରରେ ରତ୍ନ ସିଂହାସନ ଉପରେ ଶ୍ରୀବିଗ୍ରହ ମାନେ ବର୍ଷକୁ ଚାରି ଥର ସୁନାବେଶ ହୁଅନ୍ତି। କାର୍ତ୍ତିକ ପୂର୍ଣ୍ଣମୀ, କୁମାର ପୂର୍ଣ୍ଣମୀ, ଦୋଳ ପୂର୍ଣ୍ଣମୀ ଓ ବିଜୟା ଦଶମୀରେ ସୁନାବେଶରେ ଦର୍ଶନ ଦିଅନ୍ତି ଶ୍ରୀଜିଉ । ହେଲେ ଘୋଷ ଯାତ୍ରାର ଅନ୍ତିମ ପର‌୍ୟ୍ୟାୟ ଅର୍ଥାତ୍ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ତିନି ରଥ ଉପରେ ଶ୍ରୀଜିଉମାନଙ୍କ ମହଣ ମହଣ ସୁନାରେ ବିଭୂଷିତ ଦୁର୍ଲଭ ବେଶ ଅନ୍ୟନ୍ୟ । ତଥ୍ୟ ଅନୁସାରେ ବଡ଼ଠାକୁର ବଳଭଦ୍ର ପରିଧାନ କରୁଥିବା ଅଳଙ୍କାର ଗୁଡ଼ିକ ହେଲା- ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣି, କୁଣ୍ଡଳ, ଚନ୍ଦ୍ରସୂର‌୍ୟ୍ୟ, ଆଡ଼କାନି, ବାହାଡ଼ା ମାଳି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ବାଘନଖି ମାଳି, ସେବତି ମାଳି ଓ ତ୍ରିଖଣ୍ଡିକା କମରପଟି ଭଳି ୧୭ ପ୍ରକାର ଅଳଙ୍କାର ସହ ଆୟୁଧ- ହଳ ଓ ମୂଷଳ। ସେହିପରି ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗ ଶୋଭାମଣ୍ଡନ କରୁଥିବା ଆଭୂଷଣ ଗୁଡ଼ିକ ହେଲା- କିରୀଟ, ଓଡ଼ିଆଣି, କାନ ଚନ୍ଦ୍ର-ସୂର‌୍ୟ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ତଗଡ଼ି ଓ ସେବତି ମାଳି। ତେବେ ଯାହାଙ୍କ ପ୍ରତି ଲକ୍ଷ ଲକ୍ଷ ଚକ୍ଷୁର ଆକର୍ଷଣ ସେହି କାଳିଆ ସାଆନ୍ତଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ଦିବ୍ୟ ଅଳଙ୍କାର ସବୁ ହେଲା କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଚନ୍ଦ୍ରସୂର‌୍ୟ୍ୟ, ଆଡ଼କାନି, ହରିଡ଼ା ମାଳି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ତାବିଜ ମାଳି, ସେବତି ମାଳି ଓ ତ୍ରିଖଣ୍ଡିକା କମରପଟି ଭଳି ୧୬ ପ୍ରକାର ଅଳଙ୍କାର ସହ ଆୟୁଧ ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ।

ବଡ଼ ଏକାଦଶୀ ତିଥିରେ ରଥ ଉପରେ ଠାକୁରମାନଙ୍କ ମଧ୍ୟାହ୍ନ ଧୂପ ସରିବା ପରେ ଆରମ୍ଭ ହୁଏ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ। ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ବର୍ଷଟେ ଯାକ ଅପେକ୍ଷା କରିବାକୁ ପଡ଼ିଥାଏ ଭକ୍ତଙ୍କୁ । ଶ୍ରୀମନ୍ଦିର ଭିତର ସୁନାବେଶ କେବଳ ହିନ୍ଦୁ ଭକ୍ତମାନେ ଦର୍ଶନ କରିବାର ନିୟମ ଥିବାବେଳେ ଅନ୍ୟଧର୍ମର ଭକ୍ତଟେ ଏହି ଦର୍ଶନରୁ ବଂଚିତ ହୁଏ । ଏଣୁ କପିଳେନ୍ଦ୍ର ଦେବଙ୍କ ସେବକ ତଡ଼ଉ ବିନତି କରିଥିଲେ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ କରାଯାଉ। ଯାହାଫଳରେ ସବୁବର୍ଗରେ ଭକ୍ତମାନେ ମହାପ୍ରଭୁଙ୍କର ଏହି ଅପୂର୍ବ ବେଶକୁ ଦର୍ଶନ କରିପାରିବେ। ବହୁ ରାଜାଙ୍କୁ ପରାସ୍ତ କରି ସେମାନଙ୍କର କିରିଟୀ, ମୁକୁଟ, ସିଂହାସନ ଏବଂ ସୁନା ଆଣି ମହାପ୍ରଭୁଙ୍କ କାର‌୍ୟ୍ୟରେ ଲଗାଇ ସେବେଠୁ କପିଳେନ୍ଦ୍ର ଦେବ ରଥ ଉପରେ ସୁନାବେଶର ଆରମ୍ଭ କରିଥିଲେ। ତେଣୁ ରଥ ଉପରେ ଶ୍ରୀଜିଉମାନଙ୍କର ଏହି ଦିବ୍ୟ ସୁନାବେଶର ଦର୍ଶନ କରିବାର ସୌଭାଗ୍ୟ ଲାଭ କରନ୍ତି ସବୁ ଧର୍ମର ଶ୍ରଦ୍ଧାଳୁ ।

Leave A Reply

Your email address will not be published.