ଓଡ଼ିଆ ନ୍ୟୁଜ୍: ରାଜ୍ୟରେ କାଳବୈଶାଖୀ ବର୍ଷା ଆଣିଲା ଆଶ୍ବସ୍ତି।କଳାହାଣ୍ଡିଆ ମେଘ, କିଛି ସ୍ଥାନରେ ହାଲୁକା ପବନ ସାଙ୍ଗକୁ ବର୍ଷା।ରାଜଧାନୀରେ ହଠାତ୍ ବଦଳିଲା ପାଣିପାଗ । ପ୍ରଚଣ୍ଡ ତାତିରୁ ମୁକ୍ତି ଆଣିଲା କାଳବୈଶାଖୀ । କାଳବୈଶାଖୀ ପ୍ରଭାବରେ ଭୁବନେଶ୍ୱରରେ ଜୋରସୋର ବର୍ଷା ପବନ । କିଛି ଦିନ ଧରି ଅସହ୍ୟ ତାତିରେ ସିଝୁଥିବା ରାଜଧାନୀବାସୀଙ୍କୁ ମିଳିଛି ଆଶ୍ୱସ୍ତି। ସକାଳୁ ପ୍ରବଳ ଗରମ ଓ ଗୁଳୁଗୁଳି ସହ ଆରମ୍ଭ ହୋଇଥିଲା ଦିନ । ମଧ୍ୟାହ୍ନରେ ନିଆଁ ବର୍ଷିଥିଲା । ସନ୍ଧ୍ୟାରେ ହଠାତ୍ ବଦଳିଗଲା ପାଗର ମିଜାଜ୍ । କଳା ମେଘ ସହ ଢାଳିଲା ବର୍ଷା । ବର୍ଷା ପବନ ଯୋଗୁଁ ଲୋକେ ଗରମରୁ ଆଶ୍ବସ୍ତି ମିଳିଛି। କେବଳ ଭୁବନେଶ୍ବର ନୁହେଁ, ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି ।
ଅନ୍ୟପଟେ, ଡହଡହ ତାତି ଭିତରେ ରାଜ୍ୟରେ କାଳବୈଶାଖୀ ଆଣିଛି ସାମାନ୍ୟ ଆଶ୍ବସ୍ତି । ମଧ୍ୟାହ୍ନର ପ୍ରଚଣ୍ଡ ତାତି ପରେ ଅପରାହ୍ଣରେ ଆଶ୍ବସ୍ତି ଆଣିଛି କାଳବୈଶାଖୀ ବର୍ଷା । ବିଭିନ୍ନ ସ୍ଥାନରେ ତାଣ୍ଡବ କରିଛି କାଳବୈଶାଖୀ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଂଚଳରେ ଘଡ଼ଘଡ଼ ବର୍ଷା ସାଙ୍ଗକୁ ଥଣ୍ଡା ପବନ ଓ କୁଆପଥର ମାଡ଼ ହୋଇଛି । ବଲାଙ୍ଗିର କଣ୍ଟାବାଞ୍ଜି ଅଞ୍ଚଳରେ ତାତିରୁ ତ୍ରାହି ଦେଇଛି କାଳବୈଶାଖୀ ବର୍ଷା ।
ବର୍ଷା ପବନ ଯୋଗୁଁ ତାପମାତ୍ରା କମିଛି। ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ପବନ ହୋଇଛି । ବଣାଇରେ କାଳବୈଶାଖୀ ତାଣ୍ଡବ କରିଛି । ୧୦୦ କିଲୋମିଟର ବେଗରେ ବହିଛି ପବନ । ବଡ଼ବଡ଼ ଗଛ ଭାଙ୍ଗି ରାସ୍ତାର ଶୋଇଛି । ବିଜୁଳି ଖୁଣ୍ଟ ମଧ୍ୟ ଉପୁଡ଼ି ପଡ଼ିଛି। ଆଜବେଷ୍ଟସ୍ ଛପର ମଧ୍ୟ ନଷ୍ଟ ହୋଇଛି। ଭୟଙ୍କର ହୋଇଛି ଝଡ଼ବର୍ଷା । ରାଉରକେଲାରେ ମଧ୍ୟ ପ୍ରବଳ ବର୍ଷା ପବନ ହୋଇଛି ।