‘ମୁଖ୍ୟ ପରାମର୍ଶ, ନିୟମାବଳୀ ଓ ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ’ ଶୀର୍ଷକ ହେଲା ଲୋକାର୍ପିତ, OERCର ଅଧ୍ୟକ୍ଷ ଦେଇଥିଲେ ଯୋଗ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ବିଦୁ୍ୟତ ନିୟାମକ ଆୟୋଗର ଅଧ୍ୟକ୍ଷ  ସୁରେଶ ଚନ୍ଦ୍ର ମହାପାତ୍ର ଓ ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ପ୍ରମୋଦ କୁମାର ମାର୍କପ୍‌ ଆଜି ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ପକ୍ଷରୁ ପ୍ରଦତ୍ତ ‘ମୁଖ୍ୟ ପରାମର୍ଶ, ନିୟମାବଳୀ ଓ ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ’ ଶୀର୍ଷକ ଏକ ପୁସ୍ତକ ଖାଦ୍ୟ କମିଶନର ସମ୍ମିଳନୀ କକ୍ଷରେ ଲୋକାର୍ପିତ କରିଛନ୍ତି । ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ୨୦୧୩ର ମାର୍ଗଦର୍ଶିକା ଅନୁଯାୟୀ ବିଭିନ୍ନ ସରକାରୀ ବିଭାଗଗୁଡ଼ିକୁ ସମୟ ସମୟରେ ବିଭିନ୍ନ ଉପାଦେୟ ପରାମର୍ଶମାନ ପ୍ରଦାନ କରିଥାଏ ।

ଅଗମ୍ୟ, ପାହାଡ଼ିଆ ଓ ଆଦିବାସୀବହୁଳ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ପାଇଁ ଖାଦ୍ୟ ସୁରକ୍ଷା, ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥା (ନିୟନ୍ତ୍ରଣ) ନିର୍ଦ୍ଦେଶ, ୨୦୧୬, ଖାଦ୍ୟ ନମୁନା ପରୀକ୍ଷା ପାଇଁ ପ୍ରଚଳିତ ଥିବା ସୁବିଧାର ସୁଦୃଢ଼ୀକରଣ ଓ ଅତିରିକ୍ତ ସୁବିଧା ସୃଷ୍ଟି, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ), ୨୦୧୩ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ନୂତନ ରେସନ୍‌ କାର୍ଡ ଆବେଦନପତ୍ରର ସାଂପ୍ରତିକ ସ୍ଥିତି, କୋଭିଡ୍‌-୧୯ ମହାମାରୀ ପରେ ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକରୁ ଅଧିକ ପରିବାରକୁ ଅନ୍ତର୍ଭୁକ୍ତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରସ୍ତୁତି, ଖାଦ୍ୟ ସୁରକ୍ଷା ଭତ୍ତା ପ୍ରଦାନର ସମୁଚିତ ବ୍ୟବସ୍ଥା, ଜାତୀୟ ପୁଷ୍ଟି ମାସର ପାଳନ, ପୁଷ୍ଟି ବଗିଚା, ରୋଷେଇ ବଗିଚାର କାର୍ଯ୍ୟକାରିତା, ମାତୃସ୍ତନ୍ୟପାନକୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟକ୍ରମ, ଜଙ୍ଗଲ ଉପରେ ଆଧାରିତ ପୋଷଣ ଓ ଖାଦ୍ୟ ସୁରକ୍ଷା, ଓଡ଼ିଶା ପୁଷ୍ଟି ବଜେଟ, ବିଭିନ୍ନ କ୍ଷେତ୍ରୀୟ ବିଭାଗ ସହ ସମନ୍ୱୟ ରକ୍ଷା କରି ପୁଷ୍ଟି ଓ ଖାଦ୍ୟ ସୁରକ୍ଷାର ବିଭିନ୍ନ କାର୍ଯ୍ୟକ୍ରମକୁ ସୁଦୃଢ଼ ଓ ତ୍ୱରାନ୍ୱିତ କରିବା, ଓଡ଼ିଶାରେ ଶିଶୁ ପୁଷ୍ଟି ଓ ଏହାର ଅଭିବୃଦ୍ଧି ପାଇଁ ସମ୍ମିଳିତ ଉଦ୍ୟମ, ପ୍ରାଚୀନ ଜନଜାତି ପାଇଁ କାର୍ଯ୍ୟକାରୀ କରାଯାଉଥିବା ଜୀବନ ସଂପର୍କ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ସମୀକ୍ଷା, ରାଜ୍ୟରେ ବାର୍ଷିକ ପୁଷ୍ଟି ସର୍ବେକ୍ଷଣର ଆବଶ୍ୟକତା, ରାଜ୍ୟର ଶିଶୁମାନଙ୍କ ପାଇଁ ପରିପୂରକ ଖାଦ୍ୟର ବ୍ୟବସ୍ଥା, ପୁଷ୍ଟି କାର୍ଯ୍ୟକ୍ରମକୁ ବାସ୍ତବ ରୂପ ଦେବା ପାଇଁ ଉଦ୍ଦିଷ୍ଟ ସରକାରୀ ପ୍ରୟାସକୁ ଅଧିକ ବଳିଷ୍ଠ କରିବା ଆଦି ସମ୍ବନ୍ଧୀୟ ମୂଲ୍ୟବାନ ପରାମର୍ଶଗୁଡ଼ିକୁ ଏହି ପୁସ୍ତକରେ ସନ୍ନିବେଶିତ କରାଯାଇଛି ।

ଏହି ପୁସ୍ତକରେ ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ନିୟମାବଳୀ, ୨୦୧୬, ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା (ଟିପିଡିଏସ୍‌) ନିୟମାବଳୀ ୨୦୨୦ ଓ ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା (ଟିପିଡିଏସ୍‌) ନିୟମାବଳୀ ୨୦୨୦ ସଂଶୋଧନ ମଧ୍ୟ ସନ୍ନିବେଶିତ ହୋଇଛି । ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ ଯଥା-ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ୨୦୧୩ର ଆଭିମୁଖ୍ୟ, ଏହା ଅଧିନରେ ଖାଦ୍ୟ ସୁରକ୍ଷା ନିମନ୍ତେ ରହିଥିବା ବିଭିନ୍ନ ବ୍ୟବସ୍ଥା, ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ‘ବାଦ୍‌ଦେବା ମାନଦଣ୍ଡ’, ସ୍ୱତଃ ଯୋଗହେବା ମାନଦଣ୍ଡ, ପିଡ଼ିଏସ୍‌ ହିତାଧିକାରୀ ଚୟନ ପାଇଁ ବ୍ୟବହୃତ ହେଉଥିବା ‘ଯୋଗ୍ୟ ପରିବାର’ର ଅର୍ଥ, ରାସନ୍‌ କାର୍ଡ ପ୍ରଦାନ ଉଦ୍ଦେଶ୍ୟରେ ପରିବାରର ମୁଖ୍ୟ କିଏ, ନୂତନ ରାସନ୍‌ କାର୍ଡ ପାଇବା ପାଇଁ ଆବେଦନର ପ୍ରଣାଳୀ, ଆବେଦନ ପତ୍ର ଦାଖଲ ସମୟରେ ଆବଶ୍ୟକୀୟ ନଥିପତ୍ର, ଆଧାର କାର୍ଡ ନଥିଲେ ରାସନ୍‌ କାର୍ଡ ପାଇଁ ଆବେଦନ କରିହେବ କି ନାହିଁ, ଅଯୋଗ୍ୟ ହିତାଧିକାରୀଙ୍କ ଦ୍ୱାରା ଠକେଇ ପାଇଁ ଦଣ୍ଡବିଧାନ ବ୍ୟବସ୍ଥା, ଭିଜିଲାନ୍ସ କମିଟିର କାର୍ଯ୍ୟାବଳୀ, ଜିଲ୍ଲା ଅଭିଯୋଗ ପ୍ରତିକାର ଅଧିକାରୀଙ୍କ ଦାୟିତ୍ୱ, ଜିଲ୍ଲା ଅଭିଯୋଗ ଅଧିକାରୀଙ୍କ ଆଦେଶ ବିରୋଧରେ ଅପିଲ୍‌ କରିବାର ସମୟସୀମା, ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗଙ୍କ ଦ୍ୱାରା ଅନୁସୃତ ଅଭିଯୋଗ ସମାଧାନ ବ୍ୟବସ୍ଥା ଆଦିର ଉତ୍ତର ମଧ୍ୟ ଏଥିରେ ଉଲ୍ଲିଖିତ ରହିଛି ।

ସୂଚନାଯୋଗ୍ୟ ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ୨୦୧୩କୁ ସଫଳତାର ସହ ରାଜ୍ୟରେ କାର୍ଯ୍ୟକାରୀ କରିବାରେ ଓଡ଼ିଶା ସାରା ଦେଶରେ ଶୀର୍ଷ ସ୍ଥାନ ଅଧିକାର କରିଛି । ଏହା ପଛକୁ ଉତ୍ତର ପ୍ରଦେଶ ଓ ଆନ୍ଧ୍ରପ୍ରଦେଶ ରହିଛନ୍ତି । ପୋଷଣୀୟ ଅଭିବୃଦ୍ଧି ଲକ୍ଷ୍ୟ ଓ ରାଜ୍ୟର ପ୍ରାୟ ତିନିକୋଟି ହିତାଧିକାରୀଙ୍କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁଷ୍ଟି ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରିଛନ୍ତି । ରାଜ୍ୟ ସରକାରଙ୍କ ପୁଷ୍ଟି ବଜେଟ, ଶିଶୁ ବଜେଟ, ଜେଣ୍ଡର ବଜେଟ୍‌ ଓ ଜନସାଧାରଣଙ୍କ ବଜେଟ ଆଦି ସ୍ୱତନ୍ତ୍ର ରୂପେ କାର୍ଯ୍ୟକାରୀ ହେବା ଦ୍ୱାରା ଏହା ସମ୍ଭବପର ହୋଇପାରିଛି ।

ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ପକ୍ଷରୁ ପ୍ରକାଶ କରାଯାଇଥିବା ଏହି ପୁସ୍ତକଟି ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଓ ରାଜ୍ୟର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରୁଥିବା ଅଂଶୀଦାରମାନଙ୍କ ପାଇଁ ଅତ୍ୟନ୍ତ ହିତକର ସାବ୍ୟସ୍ତ ହେବ ।ଏଠାରେ ଉଲ୍ଲେଖଯୋଗ୍ୟ ଯେ ନେପାଳ ଓ ଇରାକର ଉଚ୍ଚସ୍ତରୀୟ ପ୍ରତିନିଧିମାନେ ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ କାର୍ଯ୍ୟାଳୟକୁ ପରିଦର୍ଶନରେ ଆସି କମିଶନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଥିଲେ । ଏହି ପୁସ୍ତକ ଲୋକାର୍ପଣବେଳେ ଆୟୋଗର ସଦସ୍ୟ ସଚିବ ଶ୍ରୀମତୀ ଶିବାନୀ ମହାନ୍ତି ଓ ଆୟୋଗର ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.