ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ମେଲାଣି ନେବେ ଜଗତ ଜନନୀ ମା’ ଦୁର୍ଗା। ଧରାପୃଷ୍ଠରୁ ଲୀଳାଖେଳା ଛାଡ଼ି ବାହୁଡିବେ ମା’। ମା’ଙ୍କ ଭସାଣ ଶୋଭାଯାତ୍ରା ପାଇଁ ଟୁଇନ୍ ସିଟିରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଭୁବନେଶ୍ୱର ଓ କଟକରେ ଭସାଣ ଉତ୍ସବକୁ ଆକର୍ଷଣୀୟ କରିବାକୁ ସବୁ ପୂଜା କମିଟିମାନେ ଭରପୁର ଆୟୋଜନ କରିଛନ୍ତି। ମା’ଙ୍କୁ ମେଲାଣି ଦେବାରେ ମନରେ ଯେତିକି ଦୁଃଖ ରହିଛି, ବିଦାୟ ନେଲେ ପୁଣି ଆର ବରଷକୁ ମା’ ଆସିବେ ତା’ର ଉତ୍କଣ୍ଠା ମଧ୍ୟ ରହିଛି । ଏଥିପାଇଁ ଭସାଣୀ ଉତ୍ସବ ପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇଛି। ଭୁବନେଶ୍ୱର ଓ କଟକରେ ଭସାଣି ପାଇଁ କଟକଣା ଜାରି ହୋଇଛି।
ଦିନ ୩ଟାରୁ ଭସାଣି ଶେଷ ହେବା ଯାଏ ଏହି କଟକଣା ବଳବତ୍ତର ରହିବ। ସହିଦ ନଗର ଭସାଣ ବେଳେ କୌଣସି ଯାନବାହନ ଭୁବନେଶ୍ୱର ବାଣୀବିହାର ପଟୁ ରୂପାଲି ଛକ ଆଡ଼କୁ ଯାଇପାରିବେ ନାହିଁ। ସେହି ଗାଡ଼ି ଗୁଡ଼ିକ ଆଚାର୍ଯ୍ୟ ବିହାର ଦେଇ ଯାଇପାରିବେ। ଜନପଥ ରାସ୍ତାରେ ଯାନବାହନ ମନା ରହିଛି। ନୟାପଲ୍ଲୀ ଭସାଣି ବେଳେ ସିଆରପି ପଟୁ ଗାଡ଼ି କଟକ ଆଡ଼କୁ ଯିବାକୁ ଚାହୁଁଥିବା ଯାନବାହନ ଗୁଡ଼ିକ ଏକାମ୍ର ପାର୍କ,ବିଜୁ ପଟ୍ଟନାୟକ କଲେଜ ରାସ୍ତା ଦେଇ ଜୟଦେବ ବିହାର ଯାଇପାରିବେ। ଏହି ସମୟରେ କୌଣସି ବି ଗାଡି ବାଣୀବିହାର ଦେଇ ରୂପାଲି ଛକ ଆଡକୁ ଯାଇପାରିବେ ନାହିଁ ।
ଏଥିପାଇଁ ଆଚର୍ଯ୍ୟ ବିହାର ଛକ ଦେଇ ଗାଡିଗୁଡିକ ଯାଇପାରିବେ । ସେହିପରି ସିଆରପି ଛକରୁ କଟକ ଯାଇଥିବା ରୁଟଟିରେ ମଧ୍ୟ ଗାଡି ଚଳାଚଳ ବନ୍ଦ ରହିବ । ଏଥିପାଇଁ ଗାଡି ଚାଳକ ସିଆରପି ଛକରୁ ଏକାମ୍ର ପାର୍କ- ବିଜୁ ପଟ୍ଟନାୟକ କଲେଜ ରାସ୍ତା ଦେଇ ଜୟଦେବ ବିହାର ହୋଇ ଯାଇପାରିବେ । ସେପଟେ କିଟ୍ ଛକ ପଟୁ ନାଲକୋ ଛକ ଆଡକୁ କୌଣସି ଯାନବାହନକୁ ଅନୁମତି ନାହିଁ । ସେପଟ ରୁଟର ଗାଡିଗୁଡିକ ନନ୍ଦନ କାନନ ରାସ୍ତା ଦେଇ ଜୟଦେବ ବିହାର ଆଡକୁ ଯାଇପାରିବେ । ଖୋର୍ଦ୍ଧା ପଟୁ ଆସୁଥିବା ଭାରୀ ଯାନଗୁଡିକ ଫାହାର ଷ୍ଟେସନରୁ ହିଁ ଫ୍ଲାଏ ଓଭର ଦେଇ ଯିବେ ।
Comments are closed.