ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆସନ୍ତା ଫେବୃଆରୀ ୨୮ରୁ ଖୋଲିବ ସ୍କୁଲ। ପାଖାପାଖି ଦୁଇବର୍ଷ ପରେ ଖୋଲିବାକୁ ଯାଉଛି ସ୍କୁଲ। ପ୍ରଥମରୁ ୫ମ ଶ୍ରେଣୀ। ଏଥିସହ ୬ଷ୍ଠ ଓ ୭ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଦ୍ବିତୀୟ ପର୍ଯ୍ୟାୟ କ୍ଲାସରୁମ୍ ଶିକ୍ଷା ମଧ୍ୟ ଆରମ୍ଭ ହେବ।ତାହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କ୍ଲାସରୁମ୍ ଶିକ୍ଷା ଆରମ୍ଭ ପୂର୍ବରୁ ଆଜି ଅଭିଭାବକ-ଶିକ୍ଷକ ଶିକ୍ଷୟିତ୍ରୀ ବୈଠକ କରାଯାଇ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ ବିଚାରବିମର୍ଶ କରାଯିବ। ଏଥିସହ ବିଦ୍ୟାଳୟ ଖୋଲିବା ଦିନ ଯେପରି ଶତପ୍ରତିଶତ ଉପସ୍ଥାନ ରୁହେ, ସେନେଇ ଅଭିଭାବକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ଦିଗରେ ଗୁରୁତ୍ବ ଦିଆଯିବ।
ଏହି ଅଭିଭାଵକ ବୈଠକ ଅଧେ ଘଣ୍ଟା ଯାଏଁ ଚାଲୁ ରହିଵ। ବୈଠକ କେଉଁ ସମୟରେ ହେବ, ସେନେଇ ବିଦ୍ୟାଳୟ ପ୍ରଧାନଶିକ୍ଷକ ନିର୍ଧାରଣ କରିବେ। ସ୍କୁଲର ପରିବେଶ/ହଲ୍/କ୍ଲାସରୁମ୍ ଆଧାରରେ ପ୍ରଧାନଶିକ୍ଷକ କ୍ଲାସ ଅନୁଯାୟୀ ବୈଠକ କରିବେ। ଏଥିରେ କୋଭିଡ୍ ନିୟମ ଯଥା ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା, ସାନିଟାଇଜର୍ର ବ୍ୟବହାରକୁ କଡ଼ାକଡ଼ି କରାଯିବ। କେଉଁଭଳି ବୈଠକ ହେବ, ସେନେଇ ଏଜେଣ୍ଡା ପ୍ରସ୍ତୁତ କରାଯାଇଛି। ଡିଇଓ ଓ ଡିପିସିମାନେ ଜିଲ୍ଲା/ବ୍ଲକ ସ୍ତରରେ ମନିଟରିଂ ଟିମ୍ ଗଠନ କରିବେ। ଯେଉଁଥିରେ ଡିଆଇଇଟି ଅଧ୍ୟକ୍ଷ, ବରିଷ୍ଠ ଶିକ୍ଷକ/ଶିକ୍ଷୟିତ୍ରୀ, ଜିଲ୍ଲା/ବ୍ଲକସ୍ତରୀୟ ଅଫିସର୍, ଜିଲ୍ଲା ସାଥ୍ ଟିମ୍ର ସଦସ୍ୟ, ସିଆରସିସିମାନେ ରହିବେ। ରାଜ୍ୟର ସମସ୍ତ ସ୍କୁଲରେ ଯେପରି ବୈଠକ ହୁଏ, ସେଥିପ୍ରତି ଗୁରୁତ୍ବ ଦେବେ। ବ୍ଲକ୍ ଅନୁଯାୟୀ, ପିଟିଏମ୍ ବୈଠକର ତଥ୍ୟ ୭ଦିନ ମଧ୍ୟରେ ଓସେପା ନିକଟରେ ଦାଖଲ କରିବାକୁ କୁହାଯାଇଛି।
ରାଜ୍ୟ ସରକାର ଆସନ୍ତା ୧୪ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବା ନେଇ ଘୋଷଣା କରିଥିଲେ । ହେଲେ ଏନେଇ ଜିଲ୍ଲାପାଳମାନେ ଅଧିକ ସମୟ ମାଗିଥିଲେ । ଏତେ ଶୀଘ୍ର ସ୍କୁଲକୁ ସଫା ଓ ସରଞ୍ଜାମର ମରାମତି ପାଇଁ ଅଧିକ ସମୟ ଆବଶ୍ୟକ ବୋଲି ଜିଲ୍ଲାପାଳମାନେ କହିଥିଲେ । ତେଣୁ ଏହାକୁ ଦୃଷ୍ଟି ରଖି ଏବେ ସ୍କୁଲକୁ ୨୮ ତାରିଖରେ ପିଲାମାନେ ଆସିବେ ବୋଲି ନିଷ୍ପତ୍ତି ନିଆଯାଇଛି।
ଅନ୍ୟପଟେ ରାଜ୍ୟରେ ଏବେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ତେଣୁ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀ ସେହି ସମୟରେ ପୋଲିଂ ଅଫିସର ଭାବେ ନିଯୁକ୍ତ ହେବେ , ତା ସହିତ ଅନେକ ସ୍କୁଲ ପୋଲିଂ ଷ୍ଟେସନ୍ ହେବାକୁ ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିଲା