ପରିବାର ଅଦାଲତରେ ଶେଷ ହେଲା ବର୍ଷା ଅନୁଭବଙ୍କ ମଧ୍ୟସ୍ଥତା ମାମଲା, କୌଣସି ଫଳାଫଳ ସ୍ପଷ୍ଟ ହୋଇନି

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  କଟକ ପରିବାର ଅଦାଲତରେ ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲାରେ ଶେଷ ହେଲା ଉଭୟଙ୍କ ମଧ୍ୟରେ ମଧ୍ୟସ୍ଥତା। ପରିବାର ଅଦାଲତ ବିଚାରପତି ନିଜ ଚାମ୍ବରରେ ଆଜି ଏହି ମଧ୍ୟସ୍ଥତା କରିଥିଲେ। ମଧ୍ୟସ୍ଥତାର କୌଣସି ଫଳାଫଳ ସ୍ପଷ୍ଟ ହୋଇନି। ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ପାଇଁ ନିଜ ଆଡୁ ଆଜି ପୁଣି ନିର୍ଦ୍ଦେଶ ଦେଇଥିଲେ କଟକ ପରିବାର ଅଦାଲତ। ଗତ ୯ ତାରିଖର କୋର୍ଟଙ୍କ ନିର୍ଦ୍ଦେଶ ପରେ ଉଭୟ ଆଜି ପରିବାର ଅଦାଲତରେ ହାଜର ହୋଇଥିଲେ। କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଉଭୟ ଦାଖଲ କରିଥିବା ୫ ହଜାର ଟଙ୍କାର ପ୍ରମାଣ ଦେଲେ। ତେବେ କୋର୍ଟ କାର୍ଯ୍ୟରେ ବିଚାର ପ୍ରକ୍ରିୟାକୁ ସହଯୋଗ କରିବା, ଅଯଥା ସମୟ ନନେବା, କୋର୍ଟରେ କୌଣସି ମିଥ୍ୟା ତଥ୍ୟ ଦାଖଲ ନକରିବା ନେଇ ସତ୍ୟପାଠ ଦାଖଲ କଲେ ବର୍ଷା ପ୍ରିୟଦର୍ଶିନୀ। ପୂର୍ବରୁ ପରିବାର ଅଦାଲତରେ ଧାର୍ଯ୍ୟ ଜେରା ଦିନରେ ବର୍ଷାଙ୍କ ଓକିଲଙ୍କ ଅନୁପସ୍ଥିତି ଯୋଗୁଁ ଅନୁଭବଙ୍କ ଜେରାକୁ ସମାପ୍ତ କରିଥିଲେ ପରିବାର ଅଦାଲତ।

ପରବର୍ତ୍ତୀ ସମୟରେ ଅନୁଭବ ମହାନ୍ତିଙ୍କୁ ପୁଣି ଥରେ ଜେରା କରାଯାଉ ବୋଲି ପରିବାର ଅଦାଲତ ବର୍ଷାଙ୍କ ପକ୍ଷରୁ ଆବେଦନ ହୋଇଥିବା ବେଳେ ଏହି ଆବେଦନକୁ ଖାରଜ କରି ଥିଲେ କଟକ ପରିବାର ଅଦାଲତ। ପରିବାର ଅଦାଲତଙ୍କ ଏହି ନିର୍ଦେଶକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ବର୍ଷା।ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ଅଧା ରହିଥିବା ବେଳେ ଜୁଲାଇ ୧୧ରେ ତାଙ୍କୁ ଜେରା କରିବା ପାଇଁ ବର୍ଷାଙ୍କ ତରଫରୁ କେହି ଅଦାଲତରେ ଉପସ୍ଥିତ ନଥିଲେ। ଅନ୍ୟପକ୍ଷରେ ଅଦାଲତରେ ଅନୁଭବଙ୍କ ତରଫରୁ ଆଉ କେହି ସାକ୍ଷୀ ଦେବେ ନାହିଁ ବୋଲି ଦର୍ଶାଇ ଏକ ମେମୋ ଦାଖଲ କରାଯାଇଥିଲା। ଜୁଲାଇ ୧୧ରେ ପରିବାର ଅତାଲତ ମାମଲାର ଶୁଣାଣି କରି ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ବର୍ଷାଙ୍କ ତରଫରୁ ଏହି ନିର୍ଦ୍ଦେଶ ପ୍ରତ୍ୟାହାର ତଥା ଅନୁଭବଙ୍କୁ ଅଧିକ ଜେରା ପାଇଁ ଅନୁମତି ଲୋଡ଼ି ପିଟିସନ ଦାଖଲ କରାଯାଇଥିଲା।

ଏହି ପିଟିସନକୁ ପରିବାର ଅଦାଲତ ଅଗ୍ରାହ୍ୟ କରିଦେବା ପରେ ବର୍ଷା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ୨୦୨୦ରେ ଦାଖଲ କରିଥିବା ଆବେଦନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ହୋଇ ଆସିଥିଲା। ୨୦୨୧ ଏପ୍ରିଲ ୫ରେ ଉଭୟ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ପରିବାର ଅଦାଲତରେ ହାଜର ହୋଇଥିଲେ। ଅଦାଲତରେ ମଧ୍ୟସ୍ଥତା ପ୍ରକ୍ରିୟାରୁ କୌଣସି ସୁଫଳ ମିଳି ପାରି ନଥିଲା। ଏହାପରେ ମାମଲାରେ ସାକ୍ଷ୍ୟ ଗ୍ରହଣ ପାଇଁ କଟକ ପରିବାର ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଆଜି ପୁନଶ୍ଚ ଉଭୟ ହାଜର ହୋଇଥିବା ବେଳେ ଏହା ପରେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଓ ଜେରା ହେବ ବୋଲି ଜଣାପଡିଛି। ତେବେ ଏହି ତାରିଖ ଓ ପରିବାର ଅଦାଲତଙ୍କ ପରବର୍ତ୍ତୀ ତାରିଖ ସ୍ପଷ୍ଟ ହୋଇ ନାହିଁ।

Leave A Reply

Your email address will not be published.