ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ରାତି ତାପମାତ୍ରା କମିକମି ଯାଉଛି । ସାରା ରାଜ୍ୟରେ ଶୀତ ପ୍ରବାହ ଜାରି ରହିଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାତିର ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏହାପରେ ସର୍ବନିମ୍ନ ତାପମାତ୍ରା ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତ ୨୪ ଘଣ୍ଟା ଭିତରେ ଢେଙ୍କାନାଳ, ଫୁଲବାଣୀ, ରାଉରକେଲାରେ ଘନ କୁହୁଡ଼ି କାରଣରୁ ଜନଜୀବନ ପ୍ରଭାବିତ ହୋଇଥିଲା। ଆଗାମୀ ୫ ଦିନ ପର୍ଯ୍ୟନ୍ତ ଏଭଳି କୁହୁଡ଼ି ପରିସ୍ଥିତି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।
ଆସନ୍ତା ୨୮ ଓ ୨୯ ତାରିଖରେ ସୁନ୍ଦରଗଡ଼, ଢେଙ୍କାନାଳ, ନୟାଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଦେବ। ପାଣିପାଗ କେନ୍ଦ୍ର ପକ୍ଷରୁ ଏ ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ଉପକୂଳ, ଦକ୍ଷିଣ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ କୁହୁଡ଼ି ଜନଜୀବନକୁ ପ୍ରଭାବିତ କରିବ। ଏପଟେ ଘୂ- ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪.୪ଡିଗ୍ରି ରେକର୍ଡ ହୋଇଛି। ଗତକାଲି ସର୍ବନିମ୍ନ ପାରଦ ୭.୮ ଡିଗ୍ରି ଥିଲା। ଗୋଟିଏ ଦିନରେ ୩.୪ ଡିଗ୍ରି ପାରଦ ଖସିଛି। ଦୁର୍ଗମ ଅଞ୍ଚଳରେ ପାରଦ ଆହୁରି ଏକରୁ ଦୁଇ ଡିଗ୍ରି କମ୍ ରହିଥିବା ଆକଳନ କରାଯାଇଛି।