ମୁଖ୍ୟମନ୍ତ୍ରୀ ଦାଗୀମନ୍ତ୍ରୀଙ୍କୁ ଶାସନ ଦାୟିତ୍ୱ ଦେଇଛନ୍ତି କାହିଁକି? ତାହା ସ୍ପଷ୍ଟ କରନ୍ତୁ, ତୁରନ୍ତ ଗୃହ ବିଭାଗ ଛାଡନ୍ତୁ: ବିଜେପି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶାନ୍ତିପ୍ରିୟ ଓଡ଼ିଶା ରାଜ୍ୟ ସର୍ବଭାରତୀୟ ସ୍ତରରେ ସାଇବର କ୍ରାଇମ, ଚୋରୀ ଓ ଡକାୟତି, ନିଶାଦ୍ରବ୍ୟ କାରବାର, ଶିଶୁ ଅପହରଣ ଅଗ୍ରଣୀ ରାଜ୍ୟ । ରାଜ୍ୟରେ ପ୍ରତି ଅଢ଼େଇ ଘଂଟାରେ ଗୋଟିଏ ହତ୍ୟା ଓ ଧର୍ଷଣ ହେଉଛି । ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ କାରଣରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଦିବାଲୋକରେ ଜଣେ ପୋଲିସ ଅଧିକାରୀ ଗୁଳି କରି ହତ୍ୟା କଲା । କିନ୍ତୁ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ବାବୁ କୌଣସି ପଦକ୍ଷେମ ନନେଇ ମୌନ ହୋଇ ବସିଛନ୍ତି । ୨୩ବର୍ଷର ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ଅପାରଗତାରେ ନମ୍ବର ୱାନ୍ । ସ୍ୱର୍ଗତଃ ଦାସଙ୍କ ହତ୍ୟାକାଣ୍ଡରେ କ୍ରାଇମବ୍ରାଂଚର ଚାର୍ଜସିଟ୍ ଦାଖଲ ସମେତ ପରିଚାଳନାରେ ଅପାରଗତାକୁ ଦାୟୀ କରି ତୁରନ୍ତ ନିଜ ଅଧିନରେ ଥିବା ଗୃହବିଭାଗକୁ ଛାଡନ୍ତୁ ମୁଖ୍ୟମନ୍ତ୍ରୀ ବୋଲି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ମନୋଜ ମହାପାତ୍ର କହିଛନ୍ତି ଯେ, ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ୧୧୮ଦିନ ପୂରିଛି କିନ୍ତୁ କ୍ରାଇମବ୍ରାଂଚ କେବଳ ଧର୍ମକୁ ଆଖିଠାର ସଦୃଶ ତଦନ୍ତ କରୁଛି । ହତ୍ୟାକାଣ୍ଡର କାରଣ କଣ? ଷଡଯନ୍ତ୍ର ଦିଗରେ ତଦନ୍ତ ହୋଇନି । ବିଧାନସଭାରେ ବିରୋଧୀ ଦଳ ଓ ଅନ୍ୟାନ୍ୟ ଦଳ ତରଫରୁ ଯାହାଙ୍କ ବିରୁଦ୍ଧରେ ଷଡଯନ୍ତ୍ରର ଅଭିଯୋଗ କରାଯାଇଥିଲା ସେମାନଙ୍କୁ କ୍ରାଇମବ୍ରାଂଚ ତଦନ୍ତ ପରିସରଭୁକ୍ତ କରୁନାହିଁ କାହିଁକି? ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଏଫବିଆଇ ତଦନ୍ତର ମିଥ୍ୟା ପ୍ରତିଶ୍ରୁତି ଦେଇଥିବାରୁ ରାଜ୍ୟବାସୀଙ୍କୁ ନିସର୍ତ କ୍ଷମା ମାଗନ୍ତୁ ।

ରାଜ୍ୟର ଅନ୍ୟ ବିଭାଗର ମନ୍ତ୍ରୀଙ୍କ କାର୍ଯ୍ୟ ଦକ୍ଷତା ରିପୋର୍ଟ ସମୀକ୍ଷା କରାଯାଉଛି କିନ୍ତୁ ଗୃହ ବିଭାଗ ଦାୟିତ୍ୱରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ସମୀକ୍ଷା କରୁଛି କିଏ? ରାଜ୍ୟରେ ବଢ଼ୁଥିବା ଅପରାଧ ରୋକିବାରେ ପୋଲିସର ବିଫଳତା ଯୋଗୁଁ ମୁଖ୍ୟମନ୍ତ୍ରୀ ନିଜ ଅଧିନରେ ଥିବା ଗୃହବିଭାଗ ଛାଡିଦେଇ ଅନ୍ୟ କାହାକୁ ଦାୟିତ୍ୱ ଦେବା ଉଚିତ ବୋଲି ମନୋଜ ମହାପାତ୍ର ଦାବି କରିଛନ୍ତି ।
ସେହିପରି ରାଜଧାନୀର ୟୁନିଟ୍‌-୧ ଅଂଚଳରେ ଘଟିଥିବା ହତ୍ୟାକାଣ୍ଡକୁ ଯଦି ସମୀକ୍ଷା କରାଯାଏ ତାହେଲେ ରାଜ୍ୟରେ ଆଇନର ଶାସନ ନଥିବା ସ୍ପଷ୍ଟ ହେଉଛି । ହତ୍ୟାର ଶିକାର ହୋଇଥିବା ମୃତବ୍ୟକ୍ତି ନିଜର ଝିଆରୀ ପ୍ରତି ହୋଇଥିବା ଅସଦାଚରଣ ସମ୍ପର୍କରେ ଗତ ଏପ୍ରିଲ ୨୬ରେ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ । ସେହି ମାମଲା କ୍ରମେ ଥାନାରେ କେଶ ନଂ ୨୬୨/୨୩ ପଞ୍ଜିକୃତ ହୋଇଛି ।

କ୍ୟାପିଟାଲ ପୋଲିସ ଘଟଣାକୁ ଚପାଇଦେବାର ଉଦ୍ୟମକୁ ବିରୋଧ କରି ମୃତବ୍ୟକ୍ତିଙ୍କ ପରିବାର ଡିସିପିଙ୍କୁ ମଧ୍ୟ ଅଭିଯୋଗ କରିଥିଲେ । ନ୍ୟାୟ ପାଇବା ଓ ସୁରକ୍ଷା ପାଇଁ ପୋଲିସର ଆଶ୍ରୟ ଦେଇଥିବା ଲୋକଙ୍କୁ ହତ୍ୟାର ଶିକାର ହେବାକୁ ପଡୁଛି । କ୍ୟାପିଟାଲ ଥାନା ଅଧିକାରୀଙ୍କ ସମେତ କମିଶନରେଟ ପୋଲିସର ଅଭିଯୁକ୍ତମାନଙ୍କ ପ୍ରତି କୋହଳ ମନୋଭାବ ଏ ହତ୍ୟାକାଣ୍ଡର କାରଣ ହୋଇପାରେ । ଅସଦାଚରଣ ମାମଲାର ଠିକ୍ ମାସେ ଭିତରେ ସେହି ଅଭିଯୁକ୍ତମାନେ ପିଡୀତା ପରିବାର ସଦସ୍ୟଙ୍କୁ ହତ୍ୟା କରିଛନ୍ତି । ହତ୍ୟାକାଣ୍ଡ ଘଟିଥିବା ୨୦୦ମିଟର ଦୂରତାରେ ପୋଲିସ କମିଶନର, ପୋଲିସ ଡିଜି ଓ କ୍ୟାପିଟାଲ ଥାନା ରହିଛି । ଏଇଠୁ ସ୍ପଷ୍ଟ ଅନୁମେୟ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି କେତେ ବିପର୍ଯ୍ୟସ୍ତ । ଯଦି ରାଜ୍ୟରେ ଉତରଦାୟୀ ସରକାର ଚାଲିଛି ତା’ହେଲେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଉ ଓ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ତୁରନ୍ତ ଫୌଜଦାରୀ ମାମଲା ରୁଜୁ କରି ତାଙ୍କୁ ଚାକିରୀରୁ ବହିଷ୍କାର କରିବାକୁ ମନୋଜ ମହାପାତ୍ର ଦାବି କରିଛନ୍ତି ।
ଯାଜପୁର ଜିଲ୍ଲାର ‘ବିଛାଖଣ୍ଡ’ ପାହାଡରୁ ପଥର ଲୁଟ୍ ଘଟଣାରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଭିଜିଲାନ୍ସ ପ୍ରାଥମିକ ତଦନ୍ତ କରି ତତ୍କାଳୀନ ଜିଲ୍ଲାପାଳ ସମେତ କେତେକ ପ୍ରଶାସନିକ ଅଧିକାରୀ ଲିଜଧାରୀ ଓ ରାଜନୈତିକ ବ୍ୟକ୍ତିଙ୍କୁ ଦାୟୀକରି ରିପୋର୍ଟ ଦେଇଛନ୍ତି । ଏହି ଲୁଟ୍‌ରେ ସଂପୃକ୍ତ ତତ୍କାଳୀନ ଜିଲ୍ଲାପାଳ ଏବେ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ । ଏମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରାନଯିବା କେଉଁ ସ୍ୱଚ୍ଛ ଶାସନର ନମୁନା? ଅତୀତରେ ଜଣେ କର୍ତବ୍ୟରତ ପୋଲିସ ଅଫିସରଙ୍କୁ ଅପହରଣ ଓ ହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତି ବର୍ତମାନ ରାଜ୍ୟ ସରକାରଙ୍କ ପ୍ରଭାବଶାଳୀ କ୍ୟାବିନେଟ୍ ମନ୍ତ୍ରୀ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଦାଗୀମନ୍ତ୍ରୀଙ୍କୁ ଶାସନ ଦାୟିିତ୍ୱ ଦେଇଛନ୍ତି କାହିଁକି? ତାହା ସ୍ପଷ୍ଟ କରନ୍ତୁ । ବିଜୁ ଜନତା ଦଳ ଅପରାଧି ତତ୍ୱମାନଙ୍କୁ ଦଳ ଭିତରେ ସାମିଲ କରି ଆଗାମୀ ନିର୍ବାଚନରେ ଭୋଟରମାନଙ୍କୁ ଡରାଇ, ଧର୍ମକାଇ ଭୋଟ ହାତେଇବାକୁ ଚେଷ୍ଟା କରୁଛି ବୋଲି ମନୋଜ ମହାପାତ୍ର  କହିଛନ୍ତି ।
ସେହିପରି ବଲାଙ୍ଗୀରର ବିଚ ରାସ୍ତାରେ ହତ୍ୟା, ରେମୁଣା ଓ ଜୟପୁରରେ ହତ୍ୟା ଓ ଅନ୍ୟ ପ୍ରଦେଶରୁ ଆସିଥିବା ଲୋକଙ୍କୁ ଟୋଲ ଗେଟ୍‌ରେ ଆକ୍ରମଣ ପ୍ରସଙ୍ଗ ଦେଖିଲେ ଜଣାପଡୁଛି ରାଜ୍ୟରେ ଆଇନର ଶାସନ ନାହିଁ । ତେଣୁ ମୁଖ୍ୟମନ୍ତ୍ରୀ ଗୃହବିଭାଗରୁ ଅପସରି ଅନ୍ୟ କୌଣସି ଦକ୍ଷମନ୍ତ୍ରୀଙ୍କୁ ଦାୟିତ୍ୱ ଦେବାକୁ ମନୋଜ ମହାପାତ୍ର  ଦାବି କରିଛନ୍ତି ।

Leave A Reply

Your email address will not be published.