ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ରାଜ୍ୟରେ ପୁଣି ଫେରିବ ଶୀତ । ପଶ୍ଚିମା ଝଡ଼ ପ୍ରଭାବରେ ଆଜି ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିଲା। ଭୁବନେଶ୍ୱର ସମେତ ସମଗ୍ର ଉପକୂଳ ଓଡ଼ିଶା, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା।
ଆସନ୍ତା ୨ ଦିନ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ। ଆସନ୍ତାକାଲି ଦକ୍ଷିଣ ଉପକୂଳ ଓଡ଼ିଶା, କୋରାପୁଟ, ରାୟଗଡ଼ା, ମାଲକାନଗିରି ଆଦି ଜିଲ୍ଲାରେ ବି ବର୍ଷା ହୋଇପାରେ। ସେହିଭଳି ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିର କିଛି କିଛି ସ୍ଥାନରେ ୭ ତାରିଖ ଦିନ ହାଲୁକା ବର୍ଷା ହେବ। ୮ ତାରିଖରୁ ପାଖ ଶୁଖିଲା ରହିବ।
ପାଣିପାଗର କେନ୍ଦ୍ରର ସୂଚନା ଅନୁସାରେ, ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ରାଜ୍ୟର ଅନେକ ସ୍ଥାନରେ ରାତ୍ରି ତାପମାତ୍ରାରେ ୩ ରୁ ୪ ଡ଼ିଗ୍ରୀ ହ୍ରାସ ଘଟିବାରେ ସମ୍ଭାବନା ରହିଛି।ଦୁଇଦିନ ହେବ ରାଜ୍ୟରେ କୋହଲା ପାଗ ଲାଗି ରହିଛି। ଶନିବାର ରାଜ୍ୟରେ ବର୍ଷା ସହ ପବନ ହୋଇଥିଲା। ପାହାନ୍ତିଆ ଓ ସନ୍ଧ୍ୟା ସମୟରେ ଶୀତ ଅନୁଭୂତ ହେଉଛି। ଏହା ସହ କିଛି ସ୍ଥାନରେ କୁହୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ଦାରିଙ୍ଗିବାଡ଼ିରେ ଅଧିକ ଶୀତ ଅନୁଭୂତ ହେଉଛି।