ଅନଲାଇନ ଠକେଇର ଶିକାର ହେଲେ ମହିଳା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁଣି ଅଦୃଶ୍ୟ ଠକଙ୍କ ଶିକାର ହେଲେ ମହିଳା। ଅନଲାଇନ ମାଧ୍ୟମରେ ମହିଳାଙ୍କ ଠାରୁ ୧୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଦୁର୍ବୁତ୍ତ ମାନେ ଠକି ନେଇଛନ୍ତି। ୟୁରୋପୀୟ ଦେଶରୁ ମହିଳାଙ୍କ ନାମରେ ଏକ ପାସର୍ଲ ଆସିଥିବାର କହି ପର୍ଯ୍ୟାୟ କ୍ରମରେ ୧୩ଲକ୍ଷ ୫୫ହଜାର ଟଙ୍କା ଠକି କରି ନେଇ ଯାଇଛନ୍ତି। ଏନେଇ ସ୍ଥାନୀୟ ପ୍ରଫୁଲ ନଗର ଅଞ୍ଚଳର ଜ୍ୟୋତ୍ସ୍ନା ଦାସ ସାଇବର ଠକେଇ ଶିକାର ନେଇ ବାରିପଦା ସ୍ଥିତ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ୱାର୍ଲଡ଼ ୱାଇଡ କୋରିୟର ସର୍ଭିସ ନାମକ ସଂସ୍ଥାରୁ ଜୈନିକା ମହିଳା ଗତ ୨୯/୦୪/୨୦୨୪ରେ ଜ୍ୟୋତ୍ସ୍ନା ଦାସଙ୍କୁ ଫୋନ କରି ୟୁରୋପୀୟ ଦେଶରୁ ତାଙ୍କ ନାମରେ ଏକ ପାସର୍ଲ ଆସିଥିବାର କହିଥିଲେ। ପାସର୍ଲ ନେବାକୁ ୩୫ହଜାର ଟଙ୍କା ପ୍ରଦାନ କରିବାକୁ କହିଥିଲେ। ଠକ ସଂସ୍ଥା ଦ୍ୱାରା ପ୍ରଦତ୍ତ ବ୍ୟାଙ୍କ ଆକାଉଣ୍ଟରେ ସେ ୩୫ହଜାର ଟଙ୍କା ଜମା କରିଥିଲେ। ଏଥିପରେ ପୁଣି ଜୋରିମାନା କହି ୧ଲକ୍ଷ ୩୦ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟ ଜରିଆରେ ସଂସ୍ଥା ନେଇଥିଲା। ଏଥିପରେ ଆୟକର ଶୁଳ୍କ ପାଇଁ ୩ଲକ୍ଷ ୨୦ହଜାର ଟଙ୍କା ପ୍ରଦାନ କରିବାକୁ କହିଥିଲେ। ଏହିପରି ବାରମ୍ବାର ଠକେଇ କରି ଜ୍ୟୋତ୍ସ୍ନା ଦାସଙ୍କ ନିକଟରୁ ପର୍ଯ୍ୟାୟ କ୍ରମରେ ସମୁଦାୟ ୧୩ଲକ୍ଷ ୫୫ହଜାର ଟଙ୍କା ଠକି କରି ନେଇ ଯାଇଥିଲେ। ଏତେ ଗୁଡିକ ଟଙ୍କା ପ୍ରଦାନ କରିବା ପରେ ମଧ୍ୟ ପାସର୍ଲ ନଆସିବାରୁ ସେ ବ୍ୟାଙ୍କ ଯାଇ ସଂସ୍ଥା ଦ୍ୱାରା ପ୍ରଦତ୍ତ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଥିଲେ।

ତେବେ ସେ ଏଥିପରେ ଠକାମୀର ଶିକାର ହୋଇଛନ୍ତି ବୋଲି ଜାଣିବାକୁ ପାଇଥିଲେ। ତେବେ ଏଥିପରେ ସଂସ୍ଥା ପକ୍ଷରୁ କୋଣସି ଯୋଗାଯୋଗ କରାଯାଇନଥିଲା। ଯାହାକୁ ନେଇ ସେ ସାଇବର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକ୍ରମେ ମାମଲା ରୁଜୁ କରି ପୁଲିସ ତଦନ୍ତ ପ୍ରକ୍ରିୟା ଜାରି ରଖିଛି। ତେବେ ଅଦୃଶ୍ୟ ସାଇବର ଠକଙ୍କ ପ୍ରାଦୁର୍ଭାବ ଅନେକ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଲୋକେ ଠକାମୀର ଶିକାର ହୋଇ ତାଙ୍କ ଗଛିତ ଧନ ହରାଉଛନ୍ତି।

Comments are closed.