ନବୀନଙ୍କୁ ଟାର୍ଗେଟ କରି ଏପରି ଟୁଇଟ କଲେ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଦ୍ୟାଳୟ ଗୁଡିକରେ ନିୟୋଜିତ ଥିବା ପାଚିକା-ସହାୟିକାମାନଙ୍କ ପାଇଁ  ୧୧୭.୭୩ କୋଟି  ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରିଥିବା ବେଳେ ଶାଢ଼ି ପାଇଁ ଭତ୍ତା ମଧ୍ୟ ପ୍ରଦାନ କରିଛନ୍ତି । ଆର୍ଥିକ ସହାୟତା ଭାବେ ୧୧୭.୭୩ କୋଟି ଟଙ୍କା ମଞ୍ଜୁର କରାଯାଇଛି ଏବଂ ପ୍ରତ୍ୟେକ ପାଚିକା ଓ ସହାୟିକାଙ୍କୁ ଶାଢି ପାଇଁ ୫୦୦ ଟଙ୍କା ଲେଖାଏ ଭତ୍ତା ପ୍ରଦାନ କରାଯାଇଛି। ରାଜ୍ୟର ଏକ ଲକ୍ଷ ନଅ ହଜାର ପାଚିକାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫.୪୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଛନ୍ତି ଯେ, ପିଲାମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ତଥା ପୃଷ୍ଟି ନିରାପତ୍ତା ପାଇଁ ମଧ୍ୟାହ୍ନ ଭୋଜନର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ । ପାଚିକା ଓ ସହାୟିକାମାନେ ଏହି ଗୁରୁ ଦାୟିତ୍ୱ ବହନ କରୁଛନ୍ତି । ୫୦ ହଜାରରୁ ଅଧିକ ସ୍କୁଲରେ ୪୫ ଲକ୍ଷରୁ ଅଧିକ ପିଲା ପଢୁଛନ୍ତି । ଆପଣମାନେ ମା ପରି ଏ ସବୁ ପିଲାମାନଙ୍କର ଖାଇବା ଦାୟିତ୍ୱ ନେଇଛନ୍ତି । ତେଣୁ ସାରା ସମାଜ ଆପଣମାନଙ୍କ ନିକଟରେ ଋଣୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହାକୁ ନେଇ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଟୁଇଟ୍ କରି କହିଛନ୍ତି, ଦୀର୍ଘ ୫ ବର୍ଷ ପରେ ରାଜ୍ୟ ସରକାରଙ୍କୁ ତାଙ୍କ ସହାୟତା କଥା ମନେ ପଡ଼ିଛି । ରାଜ୍ୟ ସରକାର ସେମାନଙ୍କର ସେବା ଏବଂ ଦାୟିତ୍ବକୁ ନବୁଝି ଏଭଳି ତାଙ୍କ ସହ ପ୍ରତାରଣା କରିଛନ୍ତି ବୋଲି । ଶ୍ରୀମତୀ ପଟ୍ଟନାୟକ ଟୁଇଟ୍ କରିଛନ୍ତି ଯେ ଅନ୍ୟ ରାଜ୍ୟଗୁଡ଼ିକରେ ପାଚିକା ଏବଂ ସହାୟିକାମାନେ ଅଧିକ ସହାୟତା ରାଶି ପାଉଥିବା ବେଳେ ଓଡ଼ିଶାରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖାଯାଇଛି।

କେନ୍ଦ୍ର ସରକାର ୧୦୦୦ ଟଙ୍କା ପ୍ରଦାନ କରୁଥିବା ବେଳେ ରାଜ୍ୟ ସରକାର ମାତ୍ର ୪୦୦ ଟଙ୍କା ମାସିକ ପ୍ରଦାନ କରୁଛନ୍ତି। ତେଣୁ ଆମେ ଦାବି କରୁଛୁ ଯେ ପାଚିକା ଓ ସହାୟିକାମାନଙ୍କୁ ଦିଆଯାଉଥିବା ୪୦୦ ଟଙ୍କା ସହାୟତାକୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଉ। କେନ୍ଦ୍ର ସରକାର ଓଡ଼ିଶାରେ ପଢ଼ୁଥିବା ୪୫.୫୦ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ପିଏମ୍‌ ପୋଷଣ ଅନ୍ତର୍ଗତ ଚାଉଳ, ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ୭୮୦ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ମଞ୍ଜୁର କରିଛନ୍ତି। କିନ୍ତୁ ରାଜ୍ୟ ସରକାର ୫ କୋଟି ଟଙ୍କାର ଶାଢ଼ି ପ୍ରଦାନ କରି ୨୫ କୋଟି ଟଙ୍କା ପ୍ରଚାର ପ୍ରସାରରେ ଖର୍ଚ୍ଚ କରିଛନ୍ତି। ଏହା ରାଜ୍ୟ ସରକାରଙ୍କର ଆମ ମା’ ଭଉଣୀଙ୍କ ବିକାଶ ପ୍ରତି ଥିବା ଆନ୍ତରିକତାକୁ ଦର୍ଶାଉଛି।

Leave A Reply

Your email address will not be published.