ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଘାଯତୀନଙ୍କ ବଳିଦାନ ଓ ଦେଶପ୍ରେମ ଇତିହାସରେ ବିରଳ।ବାଲେଶ୍ୱର ଜିଲ୍ଲା ବାରବାଟୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ବାଘାଯତୀନ ଉନ୍ନୟନ କମିଟି ଆନୁକୁଲ୍ୟରେ ଶହୀଦ୍ ବାଘାଯତୀନଙ୍କ ୧୦୯ ତମ ସ୍ମୃତି ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଓଡିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଉଚ୍ଚ ଶିକ୍ଷା, କ୍ରୀଡା ଏବଂ ଯୁବସେବା ବିଭାଗ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିବା ସହିତ ବାଘାଯତୀନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ I
ଉକ୍ତ ସଭାରେ ବାଲେଶ୍ୱର ସାଂସଦ, ବାଲେଶ୍ୱର ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଓଡ଼ିଶା ସରକାରଙ୍କ ଉପମୁଖ୍ୟ ସଚେତକ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବସ୍ତା ବିଧାୟୀକା ଶ୍ରୀମତୀ ସୁବାସିନୀ ଜେନା, ବାଲେଶ୍ୱର ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ ଏବଂ ପୌରଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ I ବାଲେଶ୍ୱର ଜିଲ୍ଲାପାଳ ତଥା କମିଟିର ସଭାପତି ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ସଭାପତିତ୍ୱ ଏହି ସଭାର ଆୟୋଜନ କରାଯାଇଥିଲା I ମାନ୍ୟବର ମନ୍ତ୍ରୀ ଶ୍ରୀ ସୁରଜ ବାଘାଯତୀନଙ୍କ ସ୍ମୃତିଚାରଣ କରିବା ସହିତ ଆଗାମୀ ପୀଢି କିଭଳି ବାଘାଯତୀନଙ୍କ ବଳିଦାନକୁ ମନେ ପକାଇବେ, ସେଥିପାଇଁ ସମସ୍ତଙ୍କ ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ମତ ବ୍ୟକ୍ତ କରିଥିଲେ । ତାଙ୍କର ବଳିଦାନ, ଦେଶପ୍ରେମ ଓ ବ୍ରିଟିଶମାନଙ୍କ ବିରୁଦ୍ଧରେ ସଂଗ୍ରାମ କରି ସେ ଦେଶ ପାଇଁ ଯେଭଳି ପ୍ରାଣ ଦେଇଥିଲେ ତାହା ଇତିହାସରେ ବିରଳ ବୋଲି ସେ କହିଥିଲେ । ଜିଲ୍ଲାପାଳ ଶ୍ରୀ ବିକାଶ ଉପସ୍ଥିତ ଛାତ୍ରୀମାନଙ୍କୁ ଆହ୍ୱାନ ଦେଇ ବାଘା ଯତୀନଙ୍କ ପରି ବୀରମାନଙ୍କୁ ସ୍ମରଣ କରି ଆମେ ଆମ ଯୁବ ପିଢ଼ିମଧ୍ୟରେ ଦେଶପ୍ରେମ ଏବଂ ନାଗରିକତାର ଭାବନା ସୃଷ୍ଟି କରୁଛୁ ବୋଲି ମତ ରଖିଥିଲେ।
ରାଷ୍ଟ୍ରୀୟତା, ସାହାସିକତା ଏବଂ ନିସ୍ୱାର୍ଥପର ସେବାର ମୂଲ୍ୟବୋଧକୁ ବଜାୟ ରଖି ଏକ ଉନ୍ନତ ଭାରତ ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ ଏହି ପରମ୍ପରା ଆମକୁ ପ୍ରେରଣା ଯୋଗାଇ ଆସୁଛି ବୋଲି ଜିଲ୍ଲାପାଳ ଶ୍ରୀ ବିକାଶ ମତ ପ୍ରକାଶ କରିଥିଲେ I ଉକ୍ତ ସଭାରେ ଉପସ୍ଥିତ ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ମାନ୍ୟବର ସାଂସଦ, ବାଲେଶ୍ୱର ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଥିଲେ ଯେ ଯେଉଁ ନିର୍ଭୀକତା ପାଇଁ ବାଘାଯତୀନଙ୍କୁ ‘ବାଘା’ ଉପାଧିରେ ଭୂଷିତ କରାଯାଇଥିଲା, ତାହା ଆମ ଯୁବପିଢ଼ିଙ୍କ ପାଇଁ ଅନୁକରଣୀୟ ଯୋଗ୍ୟ। ଆଜିର ଦୁନିଆରେ ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା କରିବା ପାଇଁ ଏବଂ ଯାହା ଠିକ୍ ତାହା ପାଇଁ ଠିଆ ହେବା ପାଇଁ ଆମକୁ ଏହି ସାହସର ଆବଶ୍ୟକତା ରହିଛି I