ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅନୁସୂଚିତ ଜାତି ବର୍ଗର ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ସ୍ୱତନ୍ତ୍ର ଅଦାଲତ ଦୋଷୀକୁ ୧୫ ବର୍ଷ ସଶ୍ରମ କାରାଦଣ୍ଡ ପ୍ରଦାନ କରିଛନ୍ତି। ମାମଲାର ବିଚାର କରି କଟକ ସ୍ବତନ୍ତ୍ର ଅଦାଲତ ବିଚାରପତି ଗୁଣ୍ଡିଚା ସାମନ୍ତସିଂହାର ଜଗତପୁର ଥାନା ଅଞ୍ଚଳର ମନୋରଂଜନ ପରିଡାକୁ ଆଇପିସିର ଦଫା ୩୭୬(୨)(ଏନ)ରେ ୧୫ ବର୍ଷ ସଶ୍ରମ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଜୋରିମାନା ଅନାଦେୟ ହେଲେ ଆସାମୀକୁ ଅଧିକ ୧ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଅନନ୍ତ ବେହେରାଙ୍କୁ ଉପଯୁକ୍ତ ପ୍ରମାଣ ଅଭାବରୁ ଅଦାଲତ ଦୋଷମୁକ୍ତ କରିଛନ୍ତି। ଏହି ଦୁଷ୍ମର୍ମ ଘଟଣାର ପୀଡିତାଙ୍କ ଘର କଟକ ସହରରେ। ସେ ଜଗତପୁର ଥାନା ଅଞ୍ଚଳରେ ଥିବା ସଂପର୍କୀୟଙ୍କ ଘରକୁ ଯାଇଥିବା ବେଳେ ଦୁଇ ଅଭିଯୁକ୍ତଙ୍କ ସହିତ ପରିଚିତ ହୋଇଥିଲେ।
ପିଡିତାଙ୍କ ସଂପକୀୟଙ୍କ ପୁଅ ଅନନ୍ତର ବନ୍ଧୁ ମନୋରଂଜନ। ମନୋରଂଜନ ପୀଡିତାଙ୍କ ସହିତ ପରିଚିତ ହୋଇ ପ୍ରେମ ନିବେଦନ କରିଥିଲା। ୨୦୧୫, ଡିସେମ୍ବର ୧୨ରେ ପୀଡିତାଙ୍କୁ ଘରୁକୁ ଡାକି ମନୋରଂଜନ ଜୋର ଜବରଦସ୍ତ ତାଙ୍କ ସହିତ ଦୁଷ୍କର୍ମ କରିଥିଲା। ପରେ ବିବାହ ପ୍ରତିଶ୍ରୁତି ଦେଇ ମନୋରଂଜନ ବାରମ୍ବାର ପୀଡିତାଙ୍କ ସହିତ ସଂପର୍କ ରଖିଥିଲା। କିନ୍ତୁ ବିବାହ କରି ନଥିଲା। ପୀଡିତାଙ୍କ ଜାତି ଓ ଚରିତ୍ରକୁ ଆକ୍ଷେପ କରି ମନୋରଂଜନ ଗାଳିଗୁଲଜ କରିଥିଲା। ଏ ନେଇ ପୀଡିତା ଜଗତପୁର ଥାନାରେ ୨୦୧୬ ଏପ୍ରିଲ ୧୬ରେ ଏତଲା ଦେଇଥିଲେ। ଆଇପିସର ଦଫା ୩୭୬(୨)(ଏନ) ଓ ଏସଟି ଆଣ୍ଡ ଏସଟି (ପିଏ) ଆଇନର ଧାରା ୩ରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା। ମନୋରଂଜନ ଓ ଅନନ୍ତଙ୍କ ବିରୋଧରେ ଅଦାଲତରେ ଜଗତପୁର ପୁଲିସ ଚାର୍ଜସିଟ ଦାଖଲ କରିଥିଲା। ଅଦାଲତରେ ମାମଲାର ଶୁଣାଣି ସମୟରେ ପ୍ରସିକ୍ୟୁସନ ତରଫରୁ ୧୨ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସ୍ୟୁକୁଟର ଏଚ ସି ପୃଷ୍ଟି ମାମଲାର ପରିଚାଳନା କରୁଥିଲେ।