ପୋଲ ତଳକୁ ବାଇକ୍ ଖସି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପୋଲ ତଳକୁ ବାଇକ୍ ଖସି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ଶହୀଦ ମିନାର ନିକଟ ଟୁରି ନଦୀରେ ନିର୍ମାଣାଧୀନ ପୋଲ ତଳକୁ ଏକ ବାଇକ୍‌ ଖସି ୨ ଜଣଙ୍କ ମୃତ୍ୟୁ ହୋଇଛି।  ସେମାନେ ହେଲେ ଉମରକୋଟ ବ୍ଲକ ଗୋଇଦୌଡ଼ି ଗ୍ରାମର ବଳରାମ ମୁଦୁଲି ଓ ଡାବୁଗାଁ ଥାନା ଅଧୀନ ସିଉନାଗୁଡ଼ା ଗ୍ରାମର ରଇନା ଜାନୀ।

ସୂଚନାନୁଯାୟୀ, ବଳରାମ ଓ ରଇନା ଏକ ବାଇକ୍‌ (ଓଡି-୨୪ଜେ-୪୨୧୦)ରେ ନବରଙ୍ଗପୁର ବ୍ଲକ ଲୋଦିଯୋଡ଼ିକୁ ଯାଉଥିଲେ। ପାପଡ଼ାହାଣ୍ଡିଠାରେ ଟୁରି ନଦୀ ପୋଲ କାମ ଚାଲୁଥିବାରୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏହାର ଅନତି ଦୂରରୁ ମାଟି ବିଛାଇ ରଖାଯାଇଛି। ବଳରାମ ଭାରସାମ୍ୟ ହରାଇ ମାଟିଗଦା ଉପରେ ଚଢ଼ାଇ ଦେଇଥିଲେ। ଫଳରେ ଉଭୟ ପୋଲ ତଳକୁ ଖସିପଡ଼ି ଗୁରୁତର ହୋଇଥିଲେ। ପୋଲ ନିର୍ମାଣରେ କାର୍ଯ୍ୟରତ କେତେଜଣ ଶ୍ରମିକ ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ ଉଭୟଙ୍କୁ ଉଦ୍ଧାର କରିଥିଲେ।

ସେମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତରଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସମୟରେ ବାଟରେ ହିଁ ଉଭୟଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଉଭୟ ମୃତକଙ୍କ ବାପା ସୋମବାର ପାପଡ଼ାହାଣ୍ଡି ଥାନାରେ ଏତଲା ଦେଇଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରିଛି। ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ତଦନ୍ତକାରୀ ଅଧିକାରୀ ଶିବ ପ୍ରସାଦ ଦଳେଇ ସୂଚନା ଦେଇଛନ୍ତି।

Comments are closed.