ଜେଏମଏମ ପାର୍ଟି ଛାଡି ବିଜେପିରେ ସାମିଲ ହୋଇଛନ୍ତି ସୀତା ସୋରେନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଲୋକସଭା ନିର୍ବାଚନ ପୂର୍ବରୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାକୁ ବଡ ଝଟକା । ଜେଏମଏମ ପାର୍ଟି ଛାଡି ବିଜେପିରେ ସାମିଲ ହୋଇଛନ୍ତି ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ । ତେବେ ସୂଚନା ମୁତାବକ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରତିଷ୍ଠାତା ଶିବୁ ସୋରେନଙ୍କ ବଡ ବୋହୁ ସୀତା ସୋରେନ ଆଜି ନୂଆ ଦିଲ୍ଲୀରେ ବିଜେପି କାର୍ଯ୍ୟାଳୟକୁ ଆସି ଦଳରେ ସାମିଲ ହୋଇଛନ୍ତି |

ଜାମା ଆସନରୁ ୩ ଥର ବିଧାୟକ ଥିବା ସୀତା ,ଶିବୁ ସୋରେନଙ୍କ ବଡ ପୁଅ ସ୍ବର୍ଗତ ଦୁର୍ଗା ସୋରେନଙ୍କ ପତ୍ନୀ। ଆଜି ଜେଏମଏମ୍‌ରୁ ଇସ୍ତଫା ଦେଇଥିଲେ ସୀତା ସୋରେନ୍ । ଏନେଇ ସେ ଚିଠି ଲେଖି ଦଳର ଅଧ୍ୟକ୍ଷ ତଥା ନିଜ ଶ୍ୱଶୁର ଶିବୁ ସୋରେନଙ୍କୁ ପଠାଇଥିଲେ । ତାଙ୍କ ଓ ତାଙ୍କ ପରିବାର ବିରୋଧରେ ଗଭୀର ଷଡ଼ଯନ୍ତ୍ର ରଚା ଯାଇଥିବା ସେ ଅଭିଯୋଗ ଆଣିଥିଲେ । ତାଙ୍କ ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷ ଶିବୁ ସୋରେନଙ୍କ ପାଖକୁ ପଠାଇଥିଲେ । ସୀତା ସୋରେନ ଇସ୍ତଫା ପତ୍ରରେ କହିଛନ୍ତି ‘ଅତ୍ୟନ୍ତ ଦୁଃଖର ସହ ଦଳରୁ ଇସ୍ତଫା ଦେଉଛି । ମୋ ସ୍ୱାମୀ ସ୍ୱର୍ଗତ ଦୁର୍ଗା ସୋରେନ ପାର୍ଟି ପାଇଁ ଅନେକ ବଳିଦାନ ଦେଇଛନ୍ତି ।

କିନ୍ତୁ ଦଳରେ ମୋ କଥା ଶୁଣିବାକୁ କେହି ନାହାଁନ୍ତି । ମୋ ବିରୋଧରେ ଗଭୀର ଷଡଯନ୍ତ୍ର ରଚାଯାଉଛି । ଏଥିପାଇଁ ଦଳରୁ ଅତ୍ୟନ୍ତ ଦୁଃଖର ସହ ଇସ୍ତଫା ଦେଉଛି । ଦୁର୍ନୀତି ମାମଲାରେ ହେମନ୍ତ ସୋରେନ ଗିରଫ ହେବା ପରେ ତାଙ୍କ ପତ୍ନୀ କଳ୍ପନାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଯୋଜନାକୁ ସୀତା ଖୋଲାଖୋଲି ବିରୋଧ କରିଥିଲେ । ଏପରିକି ଚମ୍ପାଇ ସୋରେନ ମନ୍ତ୍ରିମଣ୍ଡଳରେ ତାଙ୍କୁ ସାମିଲ କରା ନଯିବା ପରେ ସୀତା ଅସନ୍ତୁଷ୍ଟ ଥିବା କୁହାଯାଉଥିଲା । ଝାଡ଼ଖଣ୍ଡରେ ଜେଏମଏମ୍‌ ଓ କଂଗ୍ରେସ ମେଣ୍ଟ କରି ସରକାର ଗଠନ କରିଛନ୍ତି ।

Leave A Reply

Your email address will not be published.