ଓଡିଶା ହାଇକୋର୍ଟରେ ଶପଥ ନେଲେ ଦୁଇ ବିଚାରପତି, ସଂଖ୍ୟା ପହଞ୍ଚିଲା ୨୩ରେ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡିଶା ହାଇକୋର୍ଟରେ ଶପଥ ନେଲେ ଦୁଇ ନୂଆ ବିଚାରପତି। ତ୍ରିପୁରା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଶୁଭାଶିଷ ତଳପାତ୍ର ଓ ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଏହି ଦୁଇ ବିଚାରପତିଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଉଭୟଙ୍କୁ ଶପଥ ପାଠ କରାଇଛନ୍ତି। ଏହି ଦୁଇ ବିଚାରପତି ଓଡିଶା ହାଇକୋର୍ଟରେ ଯୋଗ ଦେବା ପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୩ ରେ ପହଞ୍ଚିଛି।

ଜଷ୍ଟିସ ଶୁଭାଶିଷ ତଳପାତ୍ର ୧୯୬୧ ମସିହା ଅକ୍ଟୋବର ୪ ତାରିଖରେ ତ୍ରିପୁରା ଉଦୟପୁରରେ ଜନ୍ମ ଗ୍ରହଣ କରିଥିଲେ। କଲିକତା ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକ ଓ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ୧୯୯୦ ସେପ୍ଟେମ୍ବର ୧୨ ତାରିଖରେ ଆଇନଜୀବୀ ଭାବେ ବାର କାଉନସିଲରେ ନାମ ପଞ୍ଜିକରଣ କରିଥିଲେ। ସେ ଗୌହାଟୀ ହାଇକୋର୍ଟଙ୍କ ଅଗ୍ରତାଲା ବେଞ୍ଚରେ ବିଶେଷ ଭାବେ ପ୍ରାକ୍ଟିସ କରୁଥିଲେ। ୨୦୦୪ ମସିହା ଡିସେମ୍ବର ୨୧ ତାରିଖରେ ବରିଷ୍ଠ ଆଇନଜୀବୀ ଭାବେ ବିବେଚିତ ହୋଇଥିଲେ।୨୦୧୧ ମସିହା ନଭେମ୍ବର ୧୫ ତାରିଖରେ ସେ ଗୌହାଟୀ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ସେ ଶପଥ ଗ୍ରହଣ କରିଥିଲେ। ଏହାପରେ ସେ ତ୍ରିପୁରା ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବେ ୨୦୧୩ ସେପ୍ଟେମ୍ବର ୧୩ ତାରିଖରେ ଶପଥ ଗ୍ରହଣ କରିଥିଲେ। ୨୦୧୮ ନଭେମ୍ବର ମାସରେ ଓ ୨୦୧୯ ନଭେମ୍ବର ମାସରେ ସେ କିଛିଦିନ ପାଇଁ ତ୍ରିପୁରା ହାଇକୋର୍ଟରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଇଥିଲେ।

ଏହାପରେ ତାଙ୍କୁ ଓଡିଶା ହାଇକୋର୍ଟକୁ ବିଚାରପତି ଭାବେ ବଦଳି କରାଯାଇଛି। ସେହିପରି ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ବୁର୍ଲାରେ ଜନ୍ମ ଗ୍ରହଣ କରିଥିବାବେଳେ ତାଙ୍କ ପ୍ରକୃତ ଘର ଢେଙ୍କାନାଳ ଜିଲା ମୁକ୍ତାଦେଇପୁର ଗ୍ରାମରେ। ଇଂ ବିଭୁତି ଭୂଷଣ ମିଶ୍ର ଓ ବନଲତା ମିଶ୍ରଙ୍କ ସେ ପୁଅ। ତାଳଚେର ଥାର୍ମଲ ହାଇସ୍କୁଲରୁ ୧୯୮୩ରେ ମାଟ୍ରିକ, ୧୯୮୭ରେ ଅନୁଗୁଳ କଲେଜରୁ ବି କମ ପାସ କରିବା ପରେ ୧୯୯୦ରେ ମଧୁସୂଦନ ଆଇନ କଲେଜରୁ ଏଲ ଏଲ ବି ପାସ କରିଥିଲେ।ଜଷ୍ଟିସ ସଂଜୟ କୁମାର ମିଶ୍ର ୧୯୯୦ରେ ଆଇନଜୀବୀ ଭାବେ ଓଡିଶା ରାଜ୍ୟ ଆଇନଜୀବୀ ପରିଷଦରେ ପଞ୍ଜିକରଣ କରିଥିଲେ। ସେ ହାଇକୋର୍ଟରେ ବହୁ ଗୁରୁତ୍ବପୂର୍ଣ୍ଣ ମାମଲା ପରିଚାଳନା କରି ଜଣେ ଦକ୍ଷ ଆଇନଜୀବୀ ଭାବେ ସୁନାମ ଅର୍ଜନ କରି ପାରିଥିଲେ।

Leave A Reply

Your email address will not be published.