ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଲଗାଣ ବର୍ଷାରେ ଭୁଶୁଡିଲା ୨ ମହଲା ଘର। ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ସହରର କ୍ଷେତରାଜପୁର ଅଞ୍ଚଳରେ । ତେବେ କୋଠାଟିରେ କେହି ରହୁ ନଥିବାରୁ କେହି ହତାହତ ହୋଇନାହାନ୍ତି। ସେହିଭଳି ସୌଭାଗ୍ୟବଶତଃ କୋଠାଟି ଭୁଶୁଡ଼ିବା ବେଳେ ତା’ ଆଖପାଖରେ କେହି ନଥିଲେ। ପୁଲିସ ପହଞ୍ଚି ଘଟଣାସ୍ଥଳରେ ଯାଞ୍ଚ କରିଛି। କୋଠାଟି ବହୁ ପୁରୁଣା ଓ ବିପଦସଙ୍କୁଳ ଅବସ୍ଥାରେ ରହିଛି। ସେଥିପାଇଁ ସେଠାରେ କେହି ରହୁ ନଥିଲେ।
କୋଠାଟି ବିପଦସଙ୍କୁଳ ଅବସ୍ଥାରେ ଥିଲେ ହେଁ ଏହାର ମାଲିକ ଏହାକୁ ଭାଙ୍ଗି ନଥିବାରୁ ତଥା ପ୍ରଶାସନ ବି ଏ ଦିଗରେ କିଛି ପଦକ୍ଷେପ ନେଇ ନଥିବାରୁ ସ୍ଥାନୀୟ ଲୋକେ ଉଦ୍ବେଗ ପ୍ରକାଶ କରିଛନ୍ତି। ଲଗାଣ ବର୍ଷା ଯୋଗୁ ଦୁର୍ବଳ କୋଠାଟିର ଏକ ପାର୍ଶ୍ୱ ଭୁଶୁଡ଼ି ପଡ଼ିଛି ବୋଲି କୁହାଯାଉଛି। ସମ୍ବଲପୁର ସହରରେ ଏମିତି ଆଉ କିଛି ପୁରୁଣା ତଥା ପରିତ୍ୟକ୍ତ କୋଠା ରହିଛି। ସେଗୁଡ଼ିକୁ ମାଲିକମାନେ ନ ଭାଙ୍ଗି ସେମିତି ଛାଡ଼ି ଦେଇଛନ୍ତି। ପ୍ରଶାସନ ଏ ଦିଗରେ ଯଥାଶୀଘ୍ର ପଦକ୍ଷେପ ନେବା ଉଚିତ୍ ବୋଲି ଦାବି ଉଠିଛି।