କୋରାପୁଟରେ ଉତ୍ପାଦିତ ତେଲ ଲିଟର ପିଛା ୨ହଜାର ଟଙ୍କା

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : କୋରାପୁଟ ବିଶ୍ବ ଦରବାରରେ ନିଜସ୍ବ ଉତ୍ପନ୍ନ ଚାଷ ପାଇଁ  ବେଶ ପ୍ରସିଦ୍ଧି ଲାଭ କରିଛି । ପ୍ରଥମେ କଫି ଓ ହଳଦୀ ପରେ ଏବେ ତେଲ ପାଇଁ ଚର୍ଚ୍ଚାରେ ରହିଛି କୋରାପୁଟ । ଜିଲ୍ଲାର କୋଟିଆ ସମେତ ପଟ୍ଟାଙ୍ଗୀ ବ୍ଲକ ଗାଙ୍ଗରାଜପୁର ଓ ସିପେଇପୁଟ ଏବଂ ନାରାୟଣପାଟଣାର କିଛି ଅଞ୍ଚଳରେ ମେନ୍ଥା ଘାସ ଚାଷ କରାଯାଇ ଜାପାନୀ ମିଣ୍ଟ ଅଏଲ ଉତ୍ପାଦନ କରାଯାଇଛି । ଏହି ତେଲର ବଜାର ଦର ଲିଟର ପିଛା 2 ହଜାର ଟଙ୍କା ଥିବାବେଳେ ଏଥିରେ ଅନେକ ଔଷଧୀୟ ଗୁଣ ଭରପୂର ରହିଛି । ମେନ୍ଥା ଘାସରୁ ଏହି ତେଲ ଉତ୍ପନ୍ନ କରିବା ପାଇଁ ଚାଷୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି ।

ସିପେଇପୁଟରେ ଜିଲ୍ଲା ଖଣିଜ ପାଣ୍ଠି, ଲକ୍ଷ୍ନୌର କେନ୍ଦ୍ରୀୟ ଔଷଧୀୟ ଏବଂ ସୁଗନ୍ଧ ଉଦ୍ଭିଦ ସଂସ୍ଥାନ, କୋରାପୁଟ ଓରମାସ ଏବଂ କାପକୋ ଏହି ତୈଳ ଉତ୍ପାଦନ କରିବା ପାଇଁ ଏକ ପ୍ଲାଣ୍ଟ ବସାଯାଇଛି । ମିଣ୍ଟ ଗଛକୁ ସେଇ ପ୍ଲାଣ୍ଟରେ ଭର୍ତ୍ତି କରିବା ପରେ ସେଥିରେ ସମାନ ପରିମାର ପାଣି ଦିଆଯାଇଥାଏ । ତଳେ ନିଆଁ ଜାଳିଲେ ଜଳ ସହିତ ବାଷ୍ପ ମାଧ୍ୟମରେ ଉପରେ ରହିଥିବା ଗୋଟେ ମେସିନକୁ ଯାଇଥାଏ । ଉପରେ ରହିଥିବା ମେସିନ ଜଳ ଓ ମିଣ୍ଟ ଅଏଲକୁ ଅଲଗା କରିଥାଏ l ମିଣ୍ଟ ତେଲକୁ ସଂଗ୍ରହ କରିବା ପରେ ଜଳକୁ ଅନ୍ୟତ୍ର ଛଡା ଯାଇଥାଏ l ତେବେ ଏକ ଟନ ମେନ୍ଥା ଘାସରୁ 10 ଲିଟର ମିଣ୍ଟ ତେଲ ବାହାରୁ ଥିବା ଜଣାପଡ଼ିଛି

ତେବେ ମେନ୍ଥା ଘାସରୁ ଉତ୍ପନ୍ନ ତେଲ ଔଷଧ ତିଆରିରେ ବ୍ୟବହୃତ ହୁଏ। ସାଧାରଣ ଥଣ୍ଡା, କାଶ, ବ୍ରୋଙ୍କାଇଟିସ୍, ପାଟି ଏବଂ ଗଳା ଯନ୍ତ୍ରଣା ସହିତ ଶ୍ଵାସକ୍ରିୟା ସମସ୍ୟା ପାଇଁ ଏହା ଉତ୍ତମ ଔଷଧ । ଜ୍ବର, ଯନ୍ତ୍ରଣା, ସ୍କାମ୍ , ମୁଣ୍ଡବିନ୍ଧା, ଦାନ୍ତ ଯନ୍ତ୍ରଣା, କଷ୍ଟ, କାନ ଯନ୍ତ୍ରଣା, ଘା’, ଶ୍ଵାସକ୍ରିୟାରେ ଅସୁବିଧା ଦୂର କରିବାକୁ ମଧ୍ୟ ଉପାଦେୟ । ଏଥିରେ ୯୫% ମିଣ୍ଟ ରହିଥିବାରୁ ଏହା ଶରୀରକୁ ଆରାମ ଦେଇଥାଏ ।

ଟୁଥପେଷ୍ଟ, ମାଉଥ ୱାଶ, ଗାର୍ଗଲ, ସାବୁନ, ଡିଟରଜେଣ୍ଟ, କ୍ରିମ୍, ଲୋସନ ପ୍ରସ୍ତୁତରେ ମଧ୍ୟ ବ୍ୟବହାର କରାଯାଏ । ଏହାର କେବଳ ୨ରୁ ୩ ବୁନ୍ଦାରେ ପ୍ରଭାବ ଅନୁଭବ ହୋଇଥାଏ । ଏନେଇ ଓରମାସର ଅଧିକାରୀ ରୋଶନ କାର୍ତ୍ତିକ କହିଛନ୍ତି, “ଚାରା ବଢି ଗଛ ହେବାରୁ ଏହାକୁ ପ୍ଲାଣ୍ଟରେ ପକାଇ ତେଲ ବାହାର କରାଯାଇଛି । ଏହା ଅଧିକ ସଫଳ ହେଲେ ଉପଯୁକ୍ତ ଅଞ୍ଚଳରେ ଚାଷ କରାଯାଇ ଅମଳ କରାଯିବ।” ଏହି ଚାଷ ବର୍ଷକୁ ଦୁଇ ଥର ହୋଇଥାଏ। ଜମିରେ ଅନ୍ୟାନ ଚାଷ କରିବା ଅପେକ୍ଷା ଏହି ଚାଷ କଲେ ଭଲ ଦି ପଇସା ରୋଜଗାର ହେଉଛି ବୋଲି ଚାଷୀ ପ୍ରକାଶ କରିଛନ୍ତି ।

ଏହି ଚାଷ ଓ ତେଲ ଉତ୍ପାଦନ ପ୍ରଣାଳୀକୁ ଦେଖି ଜାପାନୀ ମିଣ୍ଟ ଚାଷ କରିବା ପାଇଁ କୋଟିଆ ପଞ୍ଚାୟତର ଅନ୍ୟାନ୍ୟ ଗ୍ରାମର ଚାଷୀ ମଧ୍ୟ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.