କୋଭିଡ ମେଡିକାଲରେ ଅକ୍ସିଜେନ୍ ଟ୍ୟାଙ୍କ ଫାଟିବାରୁ ଭୀଷଣ ଅଗ୍ନିକାଣ୍ଡ, ବର୍ତ୍ତମାନ ସୁଦ୍ଧା ୫୨ ଜଣଙ୍କ ମୃତ୍ୟୁ

0

କରୋନା କାଳରେ ଅକ୍ସିଜେନ୍ ଜୀବନ ବଞ୍ଚାଉଥିବା ବେଳେ ଇରାକର ଦକ୍ଷିଣୀ ସହର ନାସିରିୟାର ଏକ କୋଭିଡ ମେଡିକାଲରେ ଅକ୍ସିଜେନ୍ ଟ୍ୟାଙ୍କ ଫାଟିବାରୁ ଅନେକଙ୍କ ମୃତ୍ୟୁ ଘଟିଛି । ଅତି ଭୟଙ୍କର ଅଗ୍ନିକାଣ୍ଡ ହେବାରୁ ଏଥିରେ ପ୍ରାୟ ୫୨ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୬୭ରୁ ଅଧିକ ଲୋକ ଗୁରୁତର ଅବସ୍ଥାରେ ଅଛନ୍ତି । ସ୍ୱାସ୍ଥ୍ୟ ଅଧିକାରୀ ଓ ପୋଲିସ ଏନେଇ ସୋମବାର ଦିନ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୁସ୍ତଫା ଅଲ କଦୀମୀ ବରିଷ୍ଠ ଅଧିକାରୀଙ୍କ ସହ ତତ୍କାଳ ବୈଠକ କରି ଏହି ମାମଲା ସହ ଜଡ଼ିତ ଅଧିକାରୀଙ୍କୁ ନିଲମ୍ବିତ କରିବା ସହ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଯୁଦ୍ଧ ଓ ପ୍ରତିବନ୍ଧ ପରେ ଇରାକ ଏବେ କରୋନା ସହ ଲଢ଼େଇ କରୁଛି । ସେଠାରେ କରୋନାରେ ବର୍ତ୍ତମାନ ସୁଦ୍ଧା ୧୭,୫୯୨ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି ।

ଏହା ପୂର୍ବରୁ ଅପ୍ରେଲରେ ବାଗଦାଦର ଏକ କୋଭିଡ ମେଡିକାଲରେ ଅକ୍ସିଜେନ୍ ଟ୍ୟାଙ୍କ ବିସ୍ଫୋରଣ ହେବାରୁ ଅତି କମରେ ୮୪ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ପ୍ରାୟ ୧୧୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ ।

Leave A Reply

Your email address will not be published.