୮୯ତମ ଓଡ଼ିଶା ଦିବସ-୨୦୨୪ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ୮୯ତମ ଓଡ଼ିଶା ଦିବସ-୨୦୨୪ ପାଳିତ। ପ୍ରତିବର୍ଷ ଭଳି ବାଲେଶ୍ୱର ଜିଲ୍ଲା ପ୍ରଶାସନ ତଥା ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ଆଦର୍ଶ ଆଚରଣ ବିଧି ଅନୁପାଳନ କରିବା ସହ ମହାଆଡମ୍ବର ସହକାରେ ପାଳିତ ହୋଇଛି । ଆଜି ୮୯ତମ ଓଡ଼ିଶା ଦିବସ ପାଳନ ଅବସରରେ ଜିଲ୍ଲାପାଳ ଶ୍ରୀ ଆଶୀଷ ଠାକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରେଣ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ନିରଞ୍ଜନ ବେହେରା ଓ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ ଉପସ୍ଥିତ ରହି ବାଲେଶ୍ୱର ସହରସ୍ଥିତ ବିଭିନ୍ନ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ |

ଏହାପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ସଦ୍ଭାବନା ସଭାଗୃହଠାରେ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀ, ଶିକ୍ଷାବିତ୍, ବୁଦ୍ଧିଜୀବୀ, ଗଣମାଧ୍ୟମର ପ୍ରତିନିଧିଙ୍କୁ ସାମିଲ କରି ଓଡ଼ିଶା ଦିବସ ପାଳନର ତାତ୍ପର୍ଯ୍ୟ ଏବଂ ବରପୁତ୍ରମାନଙ୍କର ଅବଦାନ ସ୍ମରଣ କରିବା ଉଦେଶ୍ୟରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା । ସଭା ପ୍ରାରମ୍ଭରେ ଅତିଥିଙ୍କ ଦ୍ୱାରା ଓଡିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ କରିବା ପାଇଁ ସଂଗ୍ରାମ କରିଥିବା ମହାପୁରୁଷଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ସେମାନଙ୍କ ଅବଦାନକୁ ସ୍ମରଣ କରି କୃତଜ୍ଞତାର ଶ୍ରଦ୍ଧାଞ୍ଜଳି ଦେବାପରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଅନୁମୋଦିତ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯାଇଥିଲା | ଏହା ପରେ ମଞ୍ଚାସୀନ ଅତିଥିମାନେ ଦୀର୍ଘ ୮୮ ବର୍ଷ ତଳେ ସ୍ୱାଧୀନ ପୂର୍ବ ଭାରତ ବର୍ଷରେ ଭାଷା ଭିତ୍ତିକ ଏକ ରାଜ୍ୟ ଗଠନ ତଥା ଗୋଟିଏ ପଟେ ଦେଶର ସ୍ୱାଧୀନତା ଲାଗି ଲଢ଼େଇ ଓ ତାରି ଭିତରେ ନିଜର ସ୍ୱତନ୍ତ୍ର ପରିଚୟ ରକ୍ଷା ସହ ନିଜ ଭାଷାର ସୁରକ୍ଷା ପାଇଁ ହୋଇଥିବା ବଡ଼ ସଂଗ୍ରାମରେ ଆମ ମହାନ ବରପୁତ୍ର ମାନେ କିଭଳି ସଂଘର୍ଷ କରି ଆମକୁ ଏହି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ବା ଓଡିଶା ରାଜ୍ୟ ଉପହାର ଦେଇଥିଲେ ସେବିଷୟରେ ଆଲୋଚନା କରିଥିଲେ |

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ | ଏକକାଳୀନ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଲାଗୁ କରାଯାଇଥିବା ଆଦର୍ଶ ଆଚରଣ ବିଧି ପାଳନ କରିବା ସହ ଓଡ଼ିଶା ଦିବସ ପାଳନ କରାଯାଇଥିଲା | ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ପୁରୁଷୋତ୍ତମ ସେଠୀ, ରାହୁଲ ସିଂ, ସତ୍ୟସାଗର ମଣ୍ଡଳ, କାର୍ତ୍ତିକ ବେହେରା, ମାଳତୀ କିସ୍କୁ ଓ ସୁଚିସ୍ମିତା ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.