ଅବକାରୀ ଚଢାଉ; ସ୍କୁଟର ସହ ମଦ ଜବତ, ଜଣେ ଗିରଫ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅବକାରୀ ବିଭାଗର ଚଢାଉ।ସ୍କୁଟର ସହ ମଦ ଜବତ, ଜଣେ ଗିରଫ। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ, କଟକ, ୟୁନିଟ -୨ ତରଫରୁ ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ନାୟକବନ୍ଧ ଛକରେ ଚଢ଼ାଉ କରାଯାଇ ସ୍କୁଟର ସହ ଦେଶୀମଦ ଜବତ କରିଥିବା ବେଳେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ଟିମ୍।

କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଡେପୁଟି କମିଶନର ରାମଚନ୍ଦ୍ର ମିଶ୍ରଙ୍କ ନିର୍ଦେଶ କ୍ରମେ ଡେପୁଟି ସୁପରିଟେଣ୍ଡେଣ୍ଟ ଅଳକା ସୁନାଙ୍କ ତତ୍ୱାବଧାନରେ ଆଇଆଇସି ଧିରେନ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଆଜି ସକାଳେ ନାୟକବନ୍ଧ ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ବାଲେଶ୍ୱରରୁ ସୋର ଅଭିମୁଖେ ଆସୁଥିବା ଓଆର ୧୧ ଏ ୩୦୭୦ ନମ୍ବର ବିଶିଷ୍ଟ ଭେସ୍ପା ସ୍କୁଟରକୁ ଅଟକାଇ ଯାଞ୍ଚ କରିଥିଲେ।

ଯାଞ୍ଚ ପରେ ସେଥିରେ ଏକ ଅଖାରେ ୫୦ ଲିଟର ଦେଶୀମଦ ଚାଲାଣ ହେଉଥିବା ଜାଣିପାରି ସ୍କୁଟର ସହ ମଦକୁ ଜବତ କରି ଖନ୍ତାପଡ଼ା ଥାନା ଚନ୍ଦନିପୁର ଗ୍ରାମର କମଳ ଲୋଚନ ରାଉତକୁ ଗିରଫ କରିଥିଲେ।ଆଜି ଅପରାହ୍ଣରେ ସୋର ମେଡ଼ିକାଲରେ ଅଭିଯୁକ୍ତର ଡାକ୍ତରୀ ମାଇନା ପରେ ତାକୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି। ଏହି ଚଢ଼ାଉରେ ଏସଆଇ ଦିବ୍ୟଜ୍ୟୋତି ସତ୍ୟପ୍ରକାଶ, ଏଏସଆଇ ଥବୀର ପଟ୍ଟନାୟକ, କିଶୋର ରାଉତ,ଗୋଖେନ୍ଦ୍ର ପରିଡା, କନେଷ୍ଟବଳ ରାଜେଶ କିଷାନ, ବସନ୍ତ ମଲ୍ଲିକ, ସୁମିତ୍ରା ସାମଲ ଓ ଜଗନ୍ନାଥ ନାୟକ ପ୍ରମୁଖ ସାମିଲ ହୋଇଥିଲେ।

Leave A Reply

Your email address will not be published.