ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୋଖରୀରେ ବୁଡି ଶିଶୁକନ୍ୟା ମୃତ। ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ପାଖର ପଂଚାୟତ ବେଲପୁର ଗ୍ରାମର ଜଣେ ଶିଶୁ କନ୍ୟା ଖେଳୁଥିବା ବେଳେ ପୋଖରୀରେ ପଡି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ପାଖର ପଂଚାୟତ ମଲ୍ଲିପୁର ଗ୍ରାମର ସ୍ବର୍ଗତ ନରବୀର ରଣାଙ୍କ ସ୍ତ୍ରୀ ଓ ଝିଅ ତାଙ୍କ ମାମୁଁ ଘର ବେଲପୁରରେ ରହୁଥିଲେ। ଆଜି ସକାଳେ ଝିଅ ବଦ୍ରୀ ଖେଳୁଥିବା ବେଳେ ନିକଟସ୍ଥ ପୋଖରୀରେ ପଡିଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ପରିବାର ଲୋକେ ବଦ୍ରିକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଇ ନ ଥିଲେ। ପରେ ଉକ୍ତ ପୋଖରୀରେ ଝିଅ ବଦ୍ରୀର ଶରୀର ଭାସୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା।
ସଂଗେ ସଂଗେ ବଦ୍ରିକୁ ଉଦ୍ଧାର କରି ଅନନ୍ତପୁର ଥାନାକୁ ଖବର ଦେଇ ସୋର ମେଡିକାଲକୁ ନେଇଯାଇଥିଲେ ପରିବାର ଲୋକେ। ମେଡିକାଲରେ ଡାକ୍ତର ବଦ୍ରୀକୁ ମୃତ ଘୋଷଣା କରିଥିଲେ। ଏ ବାବଦରେ ପୁଲିସ ଏକ ମାମଲା ରୁଜୁ କର ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।