ଯୁଦ୍ଧକୁ ପୁରିଲାଣି ୧୦୦ଦିନ: ଜାଣନ୍ତୁ କ’ଣ ରହିଛି ଏବେକାର ସ୍ଥିତି ?

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରୁଷ-ୟୁକ୍ରେନ ଯୁଦ୍ଧକୁ ୧୦୦ ଦିନ ପୂରଣ ହୋଇଛି। ଏହି ଶହେଦିନ ମଧ୍ୟରେ ରୁଷର ଜଳ, ସ୍ଥଳ ଓ ଆକାଶି ଆକ୍ରମଣରେ ୟୁକ୍ରେନ ଧ୍ୱଂସସ୍ତୁପ ପାଲଟିଛି। ଉଭୟ ପକ୍ଷରୁ ବହୁ ସୈନ୍ୟ ମୃତାହତ ହେଲେଣି। ୟୁକ୍ରେନର ଲକ୍ଷ ଲକ୍ଷ ନାଗରିକ ଦେଶଛାଡି ଅନ୍ୟତ୍ର ଶରଣାର୍ଥୀ ଜୀବନ ବିତାଉଥିବାବେଳେ ଦେଶ ଭିତରେ ରହିଯାଇଥିବା ନାଗରିକଙ୍କ ଜୀବନ ଦୁର୍ବିସହ ପାଲଟିଛି। ଯୁଦ୍ଧରେ ୟୁକ୍ରେନର ଶତାଧିକ ଶିଶୁଙ୍କ ସମେତ ହଜାର ହଜାର ସାଧାରଣ ନାଗରିକଙ୍କର ପ୍ରାଣହାନି ଘଟିଛି। ଅନେକ ଏବେ ବିନା ବିଦ୍ୟୁତ, ପାଣି, ଖାଦ୍ୟ, ଔଷଧରେ କାଳାତିପାତ କରୁଛନ୍ତି। ଏହାସତ୍ତ୍ବେ ରୁଷର ଆକ୍ରମଣ ଚାଲିଛି।

ନିଜର ଲକ୍ଷ୍ୟ ହାସଲ ନହେବା ପର୍ୟ୍ୟନ୍ତ ଯୁଦ୍ଧ ଜାରି ରହିବ ବୋଲି ରୁଷ ପଣ କରିଛି। କ୍ରେମଲିନ ମୁଖପାତ୍ର ଡିମିତ୍ରି ପେସକୋଭ କହିଛନ୍ତି, ୟୁକ୍ରେନ ବିରୋଧରେ ଚାଲିଥିବା ସାମରିକ କାର୍ୟ୍ୟାନୁଷ୍ଠାନର ମୂଳ ଉଦ୍ଦେଶ୍ୟ ହେଉଚି ଡନେସ୍କ ଏବଂ ଲୁହାନସ୍କ ଅଞ୍ଚଳର ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ କରିବା। ଏ କ୍ଷେତ୍ରରେ କିଛିଟା ସଫଳତା ମିଳିଛି। ତେବେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି, ୧୦୦ ଦିନ ମଧ୍ୟରେ ରୁଷ ସୈନ୍ୟ ମାତ୍ର ୨୦% ୟୁକ୍ରେନ ଅଞ୍ଚଳକୁ ଦଖଲ କରିବାରେ ସମର୍ଥ ହୋଇଛନ୍ତି। ସେ କହିଛନ୍ତି, ପରିଶେଷରେ ଏହି ଯୁଦ୍ଧରେ ୟୁକ୍ରେନର ବିଜୟ ହେବ। ତାଙ୍କ ଦେଶର ସୈନ୍ୟମାନେ ରୁଷ ଆକ୍ରମଣର କଡା ଜବାବ ଦେଉଛନ୍ତି ଏବଂ ସେମାନେ ଦେଶକୁ ସୁରକ୍ଷା ଦେବାକୁ ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

ତେବେ ଜାତିସଂଘ ପକ୍ଷରୁ କୁହାଯାଇଛି ଯେ ଏହି ଯୁଦ୍ଧରେ କେହି ବିଜେତା ହେବେନାହିଁ। ବରଂ ଏହି ୧୦୦ ଦିନ ମଧ୍ୟରେ ଅନେକ ଜୀବନ ନଷ୍ଟ ହୋଇଯାଇଛି, ଘରଦ୍ୱାର, ସମ୍ପତ୍ତି, ଚାକିରି ଏବଂ ଅଭିବୃଦ୍ଧି ସମ୍ଭାବନା ଧୂଳିସାତ୍ ହୋଇଛି। ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୟୁକ୍ରେନ ଉପରେ ରୁଷ ଆକ୍ରମଣର ୧୦୦ ଦିନ ପୂରଣ ହୋଇଥିବାବେଳେ ମସ୍କୋ କିଭ୍ ଦଖଲ ନିମନ୍ତେ ରଖିଥିବା ତାହାର ମୂଳ ଲକ୍ଷ୍ୟ ହାସଲରେ ବିଫଳ ହୋଇଛି।

Leave A Reply

Your email address will not be published.