ରାଜ୍ୟ କ୍ୟାବିନେଟରେ ବଡ଼ ପରିବର୍ତ୍ତନ; ନବୀନ ମନ୍ତ୍ରୀମଣ୍ଡଳର ସମସ୍ତ ମନ୍ତ୍ରୀ ଦେଲେ ଇସ୍ତଫା, ରବିବାର ଶପଥ ନେବେ ନୂଆ ମନ୍ତ୍ରୀ
ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ରାଜ୍ୟ କ୍ୟାବିନେଟରେ। ନବୀନଙ୍କ ମନ୍ତ୍ରୀମଣ୍ଡଳର ସମସ୍ତ ମନ୍ତ୍ରୀ ଇସ୍ତଫା ଦେବାକୁ ଯାଉଛନ୍ତି। ଆଉ ଏହାସହ ଆସନ୍ତାକାଲି ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ ଶପଥ ନେବ। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ କୁହାଯିବା ପରେ ଜଣକ ପରେ ଜଣେ ମନ୍ତ୍ରୀ ନିଜର ଇସ୍ତଫାପତ୍ର ପଠାଇବା ଆରମ୍ଭ କରିଛନ୍ତି। ଇସ୍ତଫା ଦେବା ପରେ କାହାକୁ ସୁଯୋଗ ମିଳିବ ତାହା ଉପରେ ପୂରା ରାଜ୍ୟବାସୀଙ୍କ ନଜର ରହିଛି । ଖାସକରି ନୂଆ ମନ୍ତ୍ରୀମଣ୍ଡଳରେ ଯୁବ ଚେହେରାଙ୍କୁ ପ୍ରାଧାନ୍ୟ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଆସନ୍ତାକାଲି ଅର୍ଥାତ ରବିବାର ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ । ଦିନ ୧୧ଟା ୪୫ରେ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ରାଜଭବନରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଏଣେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବି ନିଜ ପଦରୁ ଇସ୍ତଫା ଦେଇଥିବାର ଖବର ମିଳିଛି।
ବ୍ରଜରାଜନ ଉପ-ନିର୍ବାଚନରେ ବିଜେଡିର ବିରାଟ ବିଜୟ ଏବଂ ନବୀନ ପଟ୍ଟନାୟକ ସରକାରଙ୍କ ପଞ୍ଚମ କାର୍ଯ୍ୟକାଳର ତିନି ବର୍ଷ ପୂରଣ ରାଜ୍ୟ କ୍ୟାବିନେଟରେ ସମ୍ଭାବ୍ୟ ପରିବର୍ତ୍ତନ ହେବାର କଳ୍ପନା ଜଳ୍ପନାର କାରଣ ହୋଇଛି। ଦଳ ପ୍ରାର୍ଥୀ ଅଲକା ମହାନ୍ତିଙ୍କ ପାଇଁ ପ୍ରଚାର କରିବା ପାଇଁ ବିଜେଡି ବ୍ରଜଜନନଗରରେ ପ୍ରାୟ ୧୨ ଜଣ ମନ୍ତ୍ରୀ ଏବଂ ୨୫ ରୁ ଅଧିକ ବିଧାୟକଙ୍କୁ ନିୟୋଜିତ କରିଥିଲେ।