ବରେଲି(ଓଡ଼ିଆ ନ୍ୟୁଜ୍): ବାଇକ୍ ଡକ୍ୟୁମେଣ୍ଟ ନଥିବାରୁ ପୁଲିସକର୍ମୀ ବିଦ୍ୟୁତ୍ ବିଭାଗର ଜଣେ ଲାଇନମ୍ୟାନ୍ଙ୍କ ଚାଲାଣ କାଟିଦେଲେ । ଏହାପରେ ଲାଇନମ୍ୟାନ ଜଣକ ଉତ୍ତ୍ୟକ୍ତ ହୋଇ ପୋଲିସ ଷ୍ଟେସନ୍ ଯାଇ ଲାଇନ କାଟିଦେଇଛନ୍ତି । ଉତ୍ତରପ୍ରଦେଶର ବରେଲି ନିକଟ ହରଦାସପୁରରେ ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି।
ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ହରଦାସପୁର ପୁଲିସ ଷ୍ଟେସନ୍ର ଭାରପ୍ରାପ୍ତ ଅଧିକାରୀ ଇନ୍ସପେକ୍ଟର ମୋଦି ସିଂହ ଯାନବାହନ ଯାଞ୍ଚ କରୁଥିଲେ। ଏହି ସମୟରେ ସେ ବରସେର ସବ୍ ଷ୍ଟେସନ୍ର ଲାଇନ୍ମ୍ୟାନ୍ ଭଗବାନ ସ୍ୱରୂପଙ୍କ ବାଇକ୍କୁ ଅଟକାଇଥିଲେ। ତାଙ୍କୁ ଆବଶ୍ୟକୀୟ କାଗଜପତ୍ର ଦେଖାଇବାକୁ କହିଥିଲେ। ସ୍ୱରୂପଙ୍କ ପାଖରେ ସେତେବେଳେ କାଗଜପତ୍ର ନଥିବାରୁ ସେ ଘରୁ ଯାଇ ତାକୁ ଆଣିବେ ବୋଲି କହିଥିଲେ । ଇନ୍ସପେକ୍ଟର ତାଙ୍କ କଥାକୁ ଅଣଦେଖା କରି ଏକ ଚାଲାଣ କାଟି ତାଙ୍କୁ ୫୦୦ ଟଙ୍କା ଜରିମାନା ବିଧାନ କରିଥିଲେ। ଇନ୍ସପେକ୍ଟରଙ୍କ ଏଭଳି ପଦକ୍ଷେପରେ ରାଗି ଯାଇ ସ୍ୱରୂପ ହରଦାସପୁର ପୁଲିସ ଷ୍ଟେସନ୍ର ଲାଇନ କାଟିଦେଇଥିଲେ । ଏମିତିକି କେବୁଲ ତାରକୁ ମଧ୍ୟ ଘରକୁ ସାଙ୍ଗରେ ନେଇଯାଇଥିଲେ । ଚେକ୍ ପୋଷ୍ଟକୁ ଅନ୍ଧାରରେ ଥିବା ଦେଖି ଭାରପ୍ରାପ୍ତ ଅଧିକାରୀ ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଲେ। ସେପଟେ ଭଗବାନ ସ୍ୱରୂପ କହିଛନ୍ତି, ପୁଲିସ ଷ୍ଟେସନ୍ରେ ମିଟର ନଥିଲା। ସେମାନେ ବେଆଇନ ଭାବେ ବିଦ୍ୟୁତ୍ ବ୍ୟବହାର କରୁଥିବାରୁ ମୁଁ ସଂଯୋଗ ବିଚ୍ଛିନ୍ନ କରିଦେଇଛି। ତେବେ ରାତି ସାରା ସେମାନଙ୍କୁ ଅନ୍ଧାରରେ ରହିବାକୁ ପଡ଼ିଛି। ଏହି ଘଟଣା ପରେ ବିଦ୍ୟୁତ୍ ବିଭାଗର ବରିଷ୍ଠ ଅଧିକାରୀମାନେ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ଆସିବା ପରେ ଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେମାନେ କହିଛନ୍ତି।