ବ୍ରହ୍ମପୁର(ଓଡ଼ିଆ ନ୍ୟୁଜ୍): ଦୀର୍ଘଦିନର ବ୍ୟବଧାନ ପରେ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଗୋପାଳପୁର ନିର୍ବାଚନ ମଣ୍ଡଳୀର ସିନ୍ଧିଗାଁଠାରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପଞ୍ଚାୟତବାସୀଙ୍କ ନିମନ୍ତ୍ରଣ ରକ୍ଷାକରି କାର୍ୟ୍ୟକ୍ରମରେ ଯୋଗଦେଇଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଏନେଇ ସେ ଅନେକ ଖୁସିଥିବା କଥା କହିଛନ୍ତି । ଜେଲରୁ ଫେରିବା ପରେ ସର୍ବସାଧାରଣ କାର୍ୟ୍ୟକ୍ରମରେ ଶ୍ରୀ ପାଣିଗ୍ରାହୀଙ୍କ ଏହା ପ୍ରଥମ ଯୋଗଦାନ । ଏହି ଗସ୍ତ ବେଳେ ସେ ପ୍ରଶାସନ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ସମର୍ଥକଙ୍କ ସାମ୍ନାରେ ନିଜର ସ୍ୱଚ୍ଛ ଭାବମୂର୍ତ୍ତି ନେଇ ନିଜକୁ ସଫେଇ ଦେଇଛନ୍ତି ।
ସେ କହିଛନ୍ତି ଯେ, ମୋତେ ଗୋପାଳପୁର ନିର୍ବାଚନ ମଣ୍ଡଳୀର କୌଣସି ବୈଠକକୁ ଡକାଯାଉ ନାହିଁ। କିନ୍ତୁ ନିୟମ ଅନୁସାରେ ସ୍ଥାନୀୟ ଲୋକପ୍ରତିନିଧିଙ୍କୁ ବୈଠକ ଓ ଅନ୍ୟାନ୍ୟ କାର୍ୟ୍ୟକ୍ରମର ଆୟୋଜନ ସଂପର୍କରେ ଜଣାଇବା କଥା। ସେ ଆହୁରି କହିଛନ୍ତି ଯେ, ବିଧାନସଭା ୱେବସାଇଟ ସୂଚୀରେ ୨୬ ନଂ ସ୍ଥାନରେ ମୋର ନାଁ ରହିଛି। ବିଜେଡିର ତାଲିକାରୁ ମୋର ନାଁ କଟାଯାଇ ନାହିଁ। ମୁଁ ଏବେ ବି ବିଜେଡିରେ ଅଛି। ବିଜେଡିରୁ ବହିଷ୍କାର ହୋଇନାହିଁ। ମୁଁ ଜଣେ ବିଜେଡିର ସଦସ୍ୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତେ ଭଲପାଆନ୍ତି । ଯଦି ମୋତେ ଭଲ ପାଉ ନ ଥାନ୍ତେ ତା’ହେଲେ ଲିଖିତ ଭାବେ ବିଧାନସଭାକୁ ଜଣାଇଥାନ୍ତେ ।