ଅତୀତରେ ୩୨ ଥର ଗଡ଼ିନଥିଲା ରଥ: ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବାରୁ ବଂଚିତ ହୋଇଥିଲେ ଭକ୍ତ

0

ପୁରୀ(ଓଡ଼ିଆ ନ୍ୟୁଜ୍‌): ‘ଗଡ଼ୁତୋର ନନ୍ଦିଘୋଷ ଉଡ଼ୁତୋର ବାନା ହେଲେ ହେଉ ମତେ ପଛେ ବଡ଼ଦାଣ୍ଡ ମନା’ ଭକ୍ତଟିଏ ଏହାହିଁ ମନରେ ଭାବି ବର୍ଷଟିଏ ଅପେକ୍ଷା କରିଥାଏ । ମହାପ୍ରଭୁ ନୀଳକନ୍ଦରରୁ ଓହ୍ଲେଇ ଆସିବେ ବଡ଼ ଦାଣ୍ଡକୁ । ଆଉ ରଥରେ ବସି ବୁଲିଯିବେ ମାଉସୀ ଘର । କଳା ଠାକୁରଙ୍କ ଏହି ମାନବୀୟ ଲିଳା ଦେଖି ଧନ୍ୟ ହୁଏ ଭକତ ଜନ । ହେଲେ ଅତୀତରେ ଆଫାଗାନ ଓ ମୋଗଲ ମାନଙ୍କ ଶ୍ରୀମନ୍ଦିର ଉପରେ ଆକ୍ରମଣ ପାଇଁ ୩୨ ଥର ବନ୍ଦ ହୋଇଛି ଏହି ରଥଯାତ୍ରା । ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବାର ଦିବ୍ୟ ଅନୁଭବରୁ ବଂଚିତ ହୋଇଛି ବିଶ୍ୱ ।

ପ୍ରାୟ ୪୫୨ ବର୍ଷର ଇତିହାସରେ ୩୨ ବର୍ଷ ଧରି ହୋଇପାରିନଥିଲା ମହାପ୍ରଭୁଙ୍କ ରଥଯାତ୍ରା । ୧୫୬୮ ଖ୍ରୀଷ୍ଟାଦ୍ଦରେ କଳାପାହାଡ଼ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିବାରୁ ଚିଲିକା ନିକଟରେ ଥିବା ଛପଲ୍ଲୀ ନାମକ ଏକ ସ୍ଥାନରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଲୁଚାଇ ରଖାଯାଇଥିଲା । କିନ୍ତୁ କଳାପାହାଡ଼ ଖବର ପାଇ ସେଠାରୁ ବିଗ୍ରହମାନଙ୍କୁ ଆଣି ଅଗ୍ନି ସଂଯୋଗ କରି ଗଙ୍ଗା ନଦିରେ ଭସାଇ ଦେଇଥିଲା । ବୌଷ୍ଣବ ବିଶର ମହାନ୍ତି ସେହି ଅର୍ଦ୍ଧଦଗ୍ଧ କଳେବରରୁ ବ୍ରହ୍ଣ ସଂଗ୍ରହ କରି ପୂଜାର୍ଚ୍ଚନା କରୁଥିଲେ । ଏହି ସମୟ ସୀମା ମଧ୍ୟରେ ୧୫୬୮ ଖ୍ରୀ.ଅ.ରୁ ୧୫୭୭ ଖ୍ରୀ. ପର୍ଯ୍ୟନ୍ତ ୯ ବର୍ଷ ଧରି ରଥଯାତ୍ରା ହୋଇପାରିନଥିଲା ।

ଏହାପରେ ୧୬୦୧ ଖ୍ରୀଷ୍ଟାଦ୍ଦରେ ମିର୍ଜା ଖୁରୁମର ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ଫଳରେ ରତ୍ନସିଂହାସନରୁ ଯାଇଁ ଭାର୍ଗବୀ ନଦୀର ପେଣ୍ଠରେ ଶ୍ରୀବିଗ୍ରହମାନେ ଆଠମାସ ଧରି ଚାପ ଉପରେ ବିଜେ କରିଥିଲେ । ଏଥି ପାଇଁ ସେଇ ବର୍ଷ ରଥଯାତ୍ରା ହୋଇପାରିନଥିଲା । ସେହିପରି ୧୬୦୭ ଖ୍ରୀଷ୍ଟାଦ୍ଦରେ ସୁବେଦାର ହାସିମ ଖାଁଙ୍କ ଆକ୍ରମଣ, ୧୬୧୧ ଖ୍ରୀଷ୍ଟାଦ୍ଦରେ କଲ୍ୟାଣ ମଲ୍ଲର ଆକ୍ରମଣ ଓ ୧୬୨୧ ଖ୍ରୀଷ୍ଟାଦ୍ଦରେ ସୁବେଦାର ଅହମ୍ମଦ ବେଗଙ୍କ ଆକ୍ରଣମ ପାଇଁ ଅନେକ ବର୍ଷ ବନ୍ଦ ରହିଥିଲା ଘୋଷଯାତ୍ରା । ଏହା ସହ ୧୬୯୨ ଖ୍ରୀଷ୍ଟାଦ୍ଦରେ ସୁବେଦାର ଏକରାମ ଖାଁ ଶ୍ରୀନ୍ଦିର ଉପରେ ଆକ୍ରମଣ ପାଇଁ ପ୍ରାୟ ୧୩ ବର୍ଷ, ୧୭୩୧ ଓ ୧୭୩୩ ଖ୍ରୀଷ୍ଟାଦ୍ଦରେ ମହମ୍ମଦ ତକି ଖାଁ ଆକ୍ରମଣ ପାଇଁ ତିନିବର୍ଷ ଧରି ରଥଯାତ୍ରା ବନ୍ଦ ରହିଥିଲା ଏହିପରି ବହୁବାର ଶ୍ରୀମନ୍ଦିର ଉପରେ ବାହ୍ୟଶତ୍ରୁଙ୍କ ଆକ୍ରମଣ ପାଇଁ ୩୨ଥର ବନ୍ଦ ରହିଛି ରଥଯାତ୍ରା ।

Leave A Reply

Your email address will not be published.