ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ ପାଇଁ ଅଣ୍ଟା ଭିଡିଛି ବିଜେଡ଼ି, କଂଗ୍ରେସର ନେତାଙ୍କୁ ଭୋଟ ଦେବା ପାଇଁ କଲା ଅପିଲ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ ଯୋଗାଡ଼ରେ ଅଣ୍ଟା ଭିଡ଼ିଛି ବିଜେଡି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କଂଗ୍ରେସ,ସ୍ୱାଧୀନ ଓ ସିପିଆଇଏମ ବିଧାୟକଙ୍କ ସମର୍ଥନ ଯୋଗାଡ଼ କରିବା ପାଇଁ ଦଳ ଗଠନ କରିଛି ସ୍ୱତନ୍ତ୍ର ଟିମ।କଂଗ୍ରେସର 9 ବିଧାୟକଙ୍କ ସମର୍ଥନ ମାଗିବା ସହ ସିପିଆଇଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ଭେଟି ସମର୍ଥନ ଲୋଡିଛି ବିଜେଡି ଟିମ।

ମାଟିର ଝିଅ ଦ୍ରୌପଦୀ ମୁର୍ମୁ। ଦଳମତ ନିର୍ବିଶେଷରେ ଏକାଠି ହୋଇ ତାଙ୍କୁ ବିପୁଳ ଭୋଟ୍ ରେ ଜିତାଇବା ପାଇଁ ଅଣ୍ଟା ଭିଡିଛନ୍ତି ବିଜେଡି ସୁପ୍ରିମୋ। ପ୍ରଥମେ ସମର୍ଥନ ପାଇଁ ଅପିଲ କରିଥିଲେ ନବୀନ। ଆଉ ଏବେ ଘର ଘର ବୁଲି ସମର୍ଥନ ଲୋଡୁଛି ବିଜେଡି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଠାରୁ ସମର୍ଥନ ଯୋଗାଡ଼ ଆରମ୍ଭ କରିଥିଲେ ନବୀନ। ପରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଟିମ ପିସିସି ସଭାପତିଙ୍କୁ ଭେଟି ସମର୍ଥନ ଲୋଡିଥିଲେ। ଆଜି କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କ ଠାରୁ ଆରମ୍ଭ ହୋଇଥିଲା ବିଜେଡିର ସମର୍ଥନ ଯୋଗାଡ଼। ପରେ କଂଗ୍ରେସ ବିଧାୟକ ରମେଶ ଜେନା, ସନ୍ତୋଷ ସିଂ ସାଲୁଜା, ଅଧିରାଜ ପାଣିଗ୍ରାହୀ, ମହମ୍ମଦ ମୋକିମ, ତାରା ପ୍ରସାଦ ବାହିନୀପତିଙ୍କ ଘରକୁ ଯାଇ ବିଜେଡି ବିଧାୟକ ଓ ମନ୍ତ୍ରୀ ସମର୍ଥନ ଲଡିଥିଲେ। ନବୀନଙ୍କ ଏଭଳି ପ୍ରୟାସକୁ କଂଗ୍ରେସ ଓ ସିପିଆଇଏମ ବିଧାୟକ ପ୍ରଶଂସା କରିଛନ୍ତି। କିନ୍ତୁ ହାଇକମାଣ୍ଡଙ୍କ ନିଷ୍ପତି ଅନୁସାରେ ଭୋଟ୍ ଦେବୁ ବୋଲି କହିଛନ୍ତି।


ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ ଆଲୋଚନା କରିଥିଲେ। ପ୍ରାର୍ଥୀପତ୍ର ଦାଖଲ ହେବା ପୂର୍ଵରୁ ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା କଥା ହୋଇଥିଲେ। ବିଜେଡିର ଦୁଇମନ୍ତ୍ରୀ ଟୁକୁନି ସାହୁ, ଜଗନ୍ନାଥ ସାରକା ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀପତ୍ର ଦାଖଲ ବେଳେ ଉପସ୍ଥିତ ଥିଲେ। ଏବେ ମାଟିର ଝିଅ ପାଇଁ ସମର୍ଥନ ଯୋଗାଡ଼ କରିବାକୁ ପୁରା ଦମ ଲଗାଇ ଦେଇଛି ବିଜେଡି।

ଆସନ୍ତା 8 ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ବିଜେଡିର ବିଧାୟକ, ସାଂସଦ ଓ ବରିଷ୍ଠ ନେତାଙ୍କୁ ଭେଟିବେ। ବିଜେଡି ପ୍ରତିନିଧି ଦଳ କଂଗ୍ରେସ ବିଧାୟକଙ୍କୁ ଭେଟିବା ପରେ କଂଗ୍ରେସ ବିଧାୟକ ଦଳ ଏବେ ଦ୍ଵନ୍ଦରେ ପଡିଛି। ମାଟି ନା ପାର୍ଟି କେଉଁ ନୀତିକୁ ଆପଣାଇବ ରାଜ୍ୟ କଂଗ୍ରେସ ତାହାକୁ ଅପେକ୍ଷା।

Leave A Reply

Your email address will not be published.