ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଅମରନାଥ ଯାତ୍ରାରେ ବାଧକ ସାଜିଛି ବର୍ଷା। କିଛି ଦିନ ହେବ ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି । ଯାହା ଫଲରେ ଅମରନାଥ ଯାତ୍ରା ବନ୍ଦ ରହିଥିଲା । ବଡ଼ ଧରଣର ଭୂସ୍ଖଳନ ଯୋଗୁଁ ନିଖୋଜ ହୋଇଯାଇଥିବା ଯାତ୍ରୀଙ୍କ ଖୋଜା ଚାଲିଛି। ଏହାରି ମଧ୍ୟରେ ଅମରନାଥ ଯାତ୍ରା ପୁଣି ଆରମ୍ଭ ହୋଇ ଯାଇଛି। ପବିତ୍ର ଗୁମ୍ଫାକୁ ଜାମ୍ମୁ ବେସ୍ରୁ ନୂଆ ବ୍ୟାଚ୍କୁ ଛଡ଼ାଯାଇଛି। ଅମରନାଥ ମନ୍ଦିର ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ମୁତାବକ ସମାନ ମାର୍ଗରେ ପୁନର୍ବାର ଯାତ୍ରା ଆରମ୍ଭ ହୋଇଛି। କିନ୍ତୁ ଉଭୟ ନନ୍ୱାନ ଏବଂ ବାଲ୍ଟା ରୁଟରୁ ହେଲିକପ୍ଟର ସେବା ଉପଲବ୍ଧ ହେବ।
ପୁନଃ ଯାତ୍ରା ଆରମ୍ଭ ହୋଇଥିବାରୁ ପଞ୍ଜିକୃତ ଯାତ୍ରୀଙ୍କୁ ୧୧ ତାରିଖ ସୁଦ୍ଧା ଯାତ୍ରୀ ନିବାସରେ ପହଞ୍ଚିବାକୁ କୁହାଯାଇଛି। ଶୁକ୍ରବାର ବାଦଲ ଫଟା ବର୍ଷାପରେ ଯାତ୍ରାକୁ ବନ୍ଦ କରିଦିଆ ଯାଇଥିଲା। ଗୁମ୍ଫା ଆଗରେ ୬ରୁ ୧୦ ଫୁଟ୍ର ଆବର୍ଜନା ଠୂଳ ହେବା ସହ ରାସ୍ତାରେ ବାଧା ଉପୁଜିଥିଲା। ତେବେ ଯୁଦ୍ଧକାଳିନ ଭିତ୍ତିରେ ରାସ୍ତା ପୁନଃଉଦ୍ଧାର କାର୍ୟ୍ୟ ଶେଷ ହୋଇଛି।
ରବିବାର କିଛି ପୂରୋହିତ ଯାଇ ମନ୍ଦରିରେ ପୁଜାର୍ଚ୍ଚନା କରିଥିଲେ। ଅମରନାଥ ଯାତ୍ରାର ନୋଡାଲ ଅଧିକାରୀ କହିଛନ୍ତି ଯେ, ଉଭୟ ବାଲ୍ଟାଲ ଏବଂ ପହଲଗାମ ମାର୍ଗରେ ଥିବା ବେସ କ୍ୟାମ୍ପରେ ୧୫ ହଜାର ତିର୍ଥଯାତ୍ରୀ ଉପସ୍ଥିତ ଅଛନ୍ତି। ଅମରନାଥ ଯାତ୍ରାରେ ବାଧକ ସାଜିଥିବା ବାଦଲଫଟା ବର୍ଷାରେ ଏବେ ମଧ୍ୟ ଅନେକ ଯାତ୍ରୀ ନିଖୋଜ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୦ ଜଣ ଶ୍ରଦ୍ଧାଳୁଙ୍କ କୌଣସି ପତ୍ତା ମିଳୁନାହିଁ। ଭାରତୀୟ ସେନା ପକ୍ଷରୁ ଏମାନଙ୍କୁ ଖୋଜାଯିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରି ସର୍ଚ୍ଚ ଅପରେସନ ଜାରି ରହିଛି।ଖୁବଶୀଘ୍ର ସମସ୍ତଙ୍କୁ ଉଦ୍ଧାର କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଏବଂ ପୁଣି ଥରେ ସ୍ୱଭାବିକ ଭାବେ ଅମରନାଥ ଯାତ୍ରା ଜାରି ରହିବ ବୋଲି ସୂଚନା ମିଳିଛି ।