ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଶ୍ରୀଲଙ୍କାରେ ହା ହା କାର । ପରିସ୍ଥିତି ସାଙ୍ଘାତିକ । ସେଥିପାଇଁ ଏସିଆ କପ୍ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶ୍ରୀଲଙ୍କାରୁ ୟୁଏଇକୁ ସ୍ଥାନାନ୍ତରିତ ହୋଇପାରେ। ଏଭଳି ସୂଚନା ଦେଇଛନ୍ତି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସମ୍ପାଦକ ମୋହନ ଡିସିଲ୍ଭା। ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଥିବାବେଳେ ରାଜନୈତିକ ଅସ୍ଥିରତା ଲାଗି ରହିଛି। ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଦେଶ ଛାଡ଼ି ପଳାଇଥିବାବେଳେ ଜରୁରୀକାଳୀନ ଲାଗୁ କରାଯାଇଛି। ଏଭଳି ସ୍ଥିତିରେ ଶ୍ରୀଲଙ୍କାରେ ଏସିଆ କପ୍ ଆୟୋଜନ କରିବା ଅସମ୍ଭବ ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏସିଆ କପ୍ ଟି-୨୦ ଟୁର୍ଣ୍ଣାମେଣ୍ଟକୁ ୟୁଏଇକୁ ସ୍ଥାନାନ୍ତରିତ କରିବା ନେଇ ଯୋଜନା କରିଥିବା ଜଣାପଡିଛି।
ସମ୍ଭବତଃ ଏସିଆ କପ୍ ୟୁଏଇରେ ଆୟୋଜନ ହୋଇପାରେ ବୋଲି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସମ୍ପାଦକ ମୋହନ ଡିସିଲଭା ରବିବାର ସୂଚନା ଦେଇଛନ୍ତି । ଟୁର୍ଣ୍ଣାମେଣ୍ଟ ପୂର୍ବ କାର୍ୟ୍ୟସୂଚୀ ଅନୁଯାୟୀ ଅଗଷ୍ଟ ୨୬ରୁ ସେପ୍ଟେମ୍ବର ୧୧ ପର୍ୟ୍ୟନ୍ତ ଆୟୋଜିତ ହେବାବେଳେ ୬ଟି ଦଳ ଅଂଶଗ୍ରହଣ କରିବା ନେଇ ଆମେ ଆଶାବାଦୀ ବୋଲି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ କୁହାଯାଇଛି। ଆଫଗାନିସ୍ତାନ, ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ୫ଟି ଦଳ ଯୋଗ୍ୟତା ଅର୍ଜନ କରିଥିବାବେଳେ ଆଉ ଗୋଟିଏ ଦଳ ଲାଗି ହଂକଂ, ସିଙ୍ଗାପୁର, କୁଏତ ଓ ୟୁଏଇ ମଧ୍ୟରେ ଯୋଗ୍ୟତା ପର୍ୟ୍ୟାୟ ମ୍ୟାଚ ଖେଳାଯିବ। ଶ୍ରୀଲଙ୍କାରେ ପରିସ୍ଥିତି ଅସମ୍ଭାଳ ଥିବା ଯୋଗୁଁ ମ୍ୟାଚ୍ ୟୁଏଇକୁ ସ୍ଥାନାନ୍ତରିତ ହୋଇପାରେ।