ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ମାର୍ଗେଟ ଅଲଭା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗେଟ୍ ଅଲଭା ସଂସଦରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେ, ଏନସିପି ମୁଖ୍ୟ ଶରଦ ପାୱାର ଏବଂ ଅନ୍ୟ ବିରୋଧୀଦଳ ନେତା ଉପସ୍ଥିତ ଥିଲେ। ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଭାବରେ ମାର୍ଗେଟ୍ ଅଲଭା ଘୋଷିତ ହୋଇଛନ୍ତି। ତାଙ୍କ ନାମ ଏନସିପି ମୁଖ୍ୟ ଶରଦ ପାୱାର ଘୋଷଣା କରିଛନ୍ତି।

ଅଲଭା ଗାନ୍ଧୀ ପରିବାର ପ୍ରତି ବିଶ୍ୱସ୍ତ ଥିଲେ
ଉପରାଷ୍ଟ୍ରପତି ନିର୍ବାଚନରେ ମିଳିତ ବିରୋଧୀ ପ୍ରାର୍ଥୀ ଘୋଷିତ ମାର୍ଗେଟ୍ ଆଲଭା କଂଗ୍ରେସ ନେତାଙ୍କ ଏକ ପିଢିରୁ ଆସିଛନ୍ତି ଯେଉଁମାନେ ଗାନ୍ଧୀ ପରିବାର ପ୍ରତି ବିଶ୍ୱସ୍ତ ରହିଥିଲେ। ୧୯୬୯ ମସିହାରେ ସେ ଇନ୍ଦିରା ଗାନ୍ଧୀଙ୍କ ପ୍ରତି ବିଶ୍ୱସ୍ତତା ସହ କଂଗ୍ରେସ ରାଜନୀତିରେ ପ୍ରବେଶ କରିଥିଲେ। ଗାନ୍ଧୀ ପରିବାର ପ୍ରତି ତାଙ୍କର ବିଶ୍ୱସ୍ତତା ଚାରି ଦଶନ୍ଧି ଧରି ଚାଲିଥିଲା ଏବଂ ଏହି ସମୟ ମଧ୍ୟରେ ସେ ଏହାର ସମ୍ପୂର୍ଣ୍ଣ ଲାଭ ମଧ୍ୟ ପାଇଥିଲେ। ୧୯୭୪ ରୁ ୧୯୯୮ ପର୍ୟ୍ୟନ୍ତ ଦଳ ତାଙ୍କୁ କ୍ରମାଗତ ଭାବରେ ରାଜ୍ୟସଭାକୁ ପଠାଇଥିଲା। ଏହା ପରେ ସେ ୧୯୯୯ ରୁ ୨୦୦୪ ପର୍ୟ୍ୟନ୍ତ ଲୋକସଭାର ସଦସ୍ୟ ଥିଲେ। ଥରେ କ୍ୟାବିନେଟ ମନ୍ତ୍ରୀ ଭାବରେ ମଧ୍ୟ କାର୍ୟ୍ୟ କରିଥିଲେ। ତେବେ ସେ ୨୦୦୪ ରେ ଲୋକସଭା ନିର୍ବାଚନରେ ହାରି ଯାଇଥିଲେ। ପରେ ତାଙ୍କୁ ରାଜ୍ୟପାଳ କରାଯାଇଥିଲା।

ତେବେ ୨୦୦୮ ରେ ପ୍ରଥମ ଥର ପାଇଁ ତତ୍କାଳୀନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ସହ ତାଙ୍କର ମତଭେଦ ହୋଇଥିଲା। ଏହା ପରେ ଅଲଭା ସର୍ବସାଧାରଣରେ କର୍ଣ୍ଣାଟକରେ ଦଳର ନେତୃତ୍ୱଙ୍କୁ ଟିକେଟ ବିକ୍ରି କରିଥିବା ଅଭିଯୋଗ କରିଥିଲେ। ବାସ୍ତବରେ ରାଜ୍ୟ ନେତୃତ୍ୱ ତାଙ୍କ ପୁଅ ନିବେଦିତ ଅଲଭାଙ୍କୁ ଟିକେଟ୍ ଦେବାକୁ ମନା କରିଦେଇଥିଲେ।

ଏହା ପରେ ସେ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ ଏବଂ ପରେ ସେ ସମସ୍ତ ପାର୍ଟି ପଦରୁ ଇସ୍ତଫା ଦେଇଥିଲେ। ତେବେ କିଛି ସମୟ ପରେ ସେ ଫେରି ଆସି ତାଙ୍କୁ ଉତ୍ତରାଖଣ୍ଡର ରାଜ୍ୟପାଳ କରାଗଲା। ସେ ଉତ୍ତରାଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଥିଲେ। ତାଙ୍କର ଅନ୍ୟ ଏକ ପୁତ୍ର ନିଖିଲ ଅଲଭା ରାହୁଲ ଗାନ୍ଧୀଙ୍କ ନିକଟତର ବୋଲି ବିବେଚନା କରାଯାଏ । କଂଗ୍ରେସର ପ୍ରଚାର ବିଭାଗର ମୁଖ୍ୟ ଜୟରାମ ରମେଶ ତାଙ୍କ ପ୍ରାର୍ଥୀତ୍ୱକୁ ଦେଶର ବିବିଧତାର ପ୍ରତିନିଧିତ୍ୱ ବୋଲି କହିଛନ୍ତି।

Leave A Reply

Your email address will not be published.