ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତର ୧୫ତମ ରାଷ୍ଟ୍ରପତି କିଏ ହେବ, ତାକୁ ନେଇ ଚାଲିଛି ସସପେନ୍ସ । ଭୋଟ୍ ଗଣନା ଜାରି ରହିଛି । ଏହାରି ଭିତରେ ଆସିଛି ପ୍ରଥମ ରାଉଣ୍ଡର ରେଜଲ୍ଟ । ପ୍ରଥମ ରାଉଣ୍ଡରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଗୁଆ ଅଛନ୍ତି । ପ୍ରଥମ ରାଉଣ୍ଡରେ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ ଭୋଟ ମିଳିଥିବା ସୂଚନା ମିଳିଛି । ଦ୍ରୌପଦୀ ମୁର୍ମୁଙ୍କ ଭୋଟର ମୂଲ୍ୟ ୩ ଲକ୍ଷ ୭୮ ହଜାର ଟଙ୍କା ରହିଛି।
ଅନ୍ୟପଟେ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ପ୍ରଥମ ରାଉଣ୍ଡରେ ୨୦୮ ଭୋଟ୍ ମିଳିଛି । ଯଶୱନ୍ତ ସିହ୍ନାଙ୍କ ଭୋଟର ମୂଲ୍ୟ ୧ ଲକ୍ଷ ୪୫ ହଜାର ୬୦୦ ଟଙ୍କା ରହିଛି । ତେବେ ସମୁଦାୟ ଭୋଟରୁ ୧୫ଟି ଭୋଟ୍ ନାକଚ ହୋଇଛି । ତେବେ ସଂଖ୍ୟା ଦୃଷ୍ଟିରୁ ଯଶୱନ୍ତ ସିହ୍ନାଙ୍କଠାରୁ ବହୁ ଆଗରେ ଅଛନ୍ତି ଦ୍ରୌପଦୀ ମୁର୍ମୁ । ଅନ୍ୟପଟେ ଦ୍ରୌପଦୀଙ୍କ ବିଜୟକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ଓଡ଼ିଶାବାସୀ । ସୂଚନାଯୋଗ୍ୟ ଯେ, ବିଜେପି ନେତୃତ୍ୱାଧୀନ ଏନ୍ଡିଏ ପକ୍ଷରୁ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବା ବେଳେ ମିଳିତ ବିରୋଧୀ ଦଳ ମେଣ୍ଟ ପକ୍ଷରୁ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଯଶୋୱନ୍ତ ସିହ୍ନା ପ୍ରାର୍ଥୀ ଅଛନ୍ତି ।
ତେବେ ଏହି ନିର୍ବାଚନରେ ଦ୍ରୌପଦୀ ଯଶୋୱନ୍ତଙ୍କୁ ବହୁ ଭୋଟ୍ ବ୍ୟବଧାନରେ ପରାସ୍ତ କରି ବିଜୟ ଲାଭ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।ପୂର୍ବରୁ ୧୪ତମ ରାଷ୍ଟ୍ରପତି ନିର୍ବାଚନରେ ଏନ୍ଡିଏ ପ୍ରାର୍ଥୀ ରାମନାଥକୋବିନ୍ଦଙ୍କୁ ୬୫%ରୁ ଅଧିକ ଭୋଟ୍ ମିଳିଥିବାବେଳେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ମୀରା କୁମାରଙ୍କୁ ମାତ୍ର ୨୯% ଭୋଟ୍ ମିଳିଥିଲା । ଏଭଳି ଯଦି ସଂଖ୍ୟା ଜାରି ରହେ, ତେବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ଏକପ୍ରକାର ନିଶ୍ଚିତ । ତେବେ ଫାଇନାଲ ରାଉଣ୍ଡରେ ଫଳାଫଳ କ’ଣ ଆସୁଛି, ତାହାକୁ ହିଁ ଅପେକ୍ଷା ।