ପଶ୍ଚିମବଙ୍ଗରେ ଇଡିର ଖୋଳତାଡ: ପୂର୍ବତନ ମନ୍ତ୍ରୀଙ୍କ ଘରୁ ନଗଦ ୨୦ କୋଟି ଟଙ୍କା ଜବତ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପଶ୍ଚିମବଙ୍ଗରେ ଇଡି ଆକ୍ସନ । ଜବତ କଲା ଟଙ୍କାର ପାହାଡ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ । ଦଶ ଲକ୍ଷ କି ୨୦ ଲକ୍ଷ ନୁହେଁ କି କୋଟିଏ କି ଦୁଇ କୋଟି ନୁହେଁ । ଏକାଥରକେ ୨୦ କୋଟି ନଗଦ ଟଙ୍କା। କଥା ଟି ଶୁଣି ଟିକେ ଅଡୁଆ ଲାଗୁଥିବ। ଆମେ କହୁଛୁ ଶୁକ୍ରବାର ଇଡି ପକ୍ଷରୁ କୋଲକତାରେ ଏକ ରେଡ୍ କରାଯାଇଥିବା କଥା । ପଶ୍ଚିମବଙ୍ଗରେ ଶିକ୍ଷା ଭର୍ତ୍ତି ଦୁର୍ନୀତିର ଯାଞ୍ଚ କରାଯିବା ସମୟରେ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ନିକଟତର କୁହାଯାଉଥିବା ଅର୍ପିତା ମୁଖାର୍ଜୀଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଚଢ଼ଉ ହୋଇଛି । ଏହି ଚଢ଼ଉ ସମୟରେ ୨୦ କୋଟି ଟଙ୍କା ନଗଦ ଜବତ ହୋଇଛି ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ନଗଦ ଟଙ୍କାର ଫଟୋକୁ ଟ୍ୱିଟ କରି କହିଛି, ‘ପଶ୍ଚିମବଙ୍ଗ ସ୍କୁଲ ସର୍ଭିସ କମିଶନ ଏବଂ ପଶ୍ଚିମବଙ୍ଗ ପ୍ରାଇମେରୀ ବୋର୍ଡ ଏଜୁକେସନ ବୋର୍ଡରେ ଭର୍ତ୍ତି ସହ ଜଡିତ ଏକ ମାମଲାରେ ଇଡି ଚଢଉ କରିଛି’। ମିଳିଥିବା ଖବର ଅନୁସାରେ ଇଡିର ଆଠ ଜଣ ଅଧିକାରୀ ସକାଳ ପ୍ରାୟ ସାଢେ ୮ଟାରେ ଚଢଉ ଆରମ୍ଭ କରିଥିଲେ । ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ରେଡ୍ ହୋଇଥିବା ବେଳେ, କେବଳ ଅର୍ପିତା ମୁଖାର୍ଜୀଙ୍କ ଘରୁ ଆଖି ତରାଟିଲା ଭଳି ଟଙ୍କା ବାହାରିଛି । ସର୍ଚ୍ଚ ଅପରେଶନ ବେଳେ ଅର୍ପିତାଙ୍କ ଘରୁ ୨୦ କୋଟି ଟଙ୍କା ଜବତ କରାଯାଇଛି । ଏସଏଏସି ସ୍କାମରେ ଏହି ଟଙ୍କା ଆଦାୟ କରାଯାଇଥିବା ସନ୍ଦେହ କରାଯାଉଛି । ଆଗାମୀ ଦିନରେ ଆହୁରି ଅନେକ ସ୍ଥାନରେ ଇଡି ଚଢାଉ କରିପାରେ ବୋଲି ଖବର ମିଳୁଛି ।

 

Leave A Reply

Your email address will not be published.