ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଇଡି କାର୍ଯ୍ୟାଳୟରେ ସୋନିଆ । ନ୍ୟାସନାଲ ହେରାଲ୍ଡ ମାମଲାକୁ ନେଇ ଆଜି ପୁଣି ଇଡିରେ ହାଜର ହୋଇଛନ୍ତି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ । ଇଡି ନିରନ୍ତର ପଚରାଉଚରା ଜାରି ରଖିଛି । ସେପଟେ ସୋନିଆ ଇଡିରେ ହାଜର ହେବାକୁ ନେଇ କଂଗ୍ରେସ ପକ୍ଷରୁ କଡ଼ା ବିରୋଧ କରାଯାଇଛି । ଏହାକୁ ବିରୋଧ କରି ପୁଣି ଥରେ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଦିଲ୍ଲୀରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । ତାହା ସହ ବିଭିନ୍ନ ରାଜ୍ୟରେ ମଧ୍ୟ ପ୍ରତିବାଦ କରୁଛି କଂଗ୍ରେସ । ହେଲେ ଦିଲ୍ଲୀ ପୁଲିସ ପକ୍ଷରୁ କଂଗ୍ରେସକୁ ରାଜଘାଟ ନିକଟରେ ସତ୍ୟାଗ୍ରହ କରିବାକୁ ଅନୁମତି ଦିଆଯାଇନାହିଁ । ଏହା ସହିତ ରାଜଘାଟରେ ଧାରା ୧୪୪ ମଧ୍ୟ ଲାଗୁ କରାଯାଇଛି।
ଜୁଲାଇ ୨୧ରେ ୭୫ ବର୍ଷୀୟା ସୋନିଆଙ୍କୁ ଇଡି ତଦନ୍ତକାରୀ ଅଧିକାରୀମାନେ ଦୁଇଘଣ୍ଟାରୁ ଊଦ୍ଧ୍ୱର୍ ସମୟ ଧରି ଜେରା କରିଥିଲେ । ଏହି ସମୟରେ ସେ ୨୮ ପ୍ରଶ୍ନର ଉତ୍ତର ଦେଇଥିଲେ । ନ୍ୟାସନାଲ ହେରାଲ୍ଡ ସମ୍ବାଦପତ୍ରର ମୁଖ୍ୟ କମ୍ପାନି ୟଙ୍ଗ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ରେ ଆର୍ଥିକ ଅନିୟମିତତା ଅଭିଯୋଗରେ ଇଡି ସୋନିଆଙ୍କୁ ଜେରା କରିବ । ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାରାଥନ୍ ଜେରା କରାଯାଇଥିଲା । ସାରା ଦେଶରେ ଏହାକୁ ବିରୋଧ କରି କଂଗ୍ରେସ ଇଡି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛି ।