ପୁଣି ବଜାରରେ ରାଜ୍ କରିବ BSNL: କେନ୍ଦ୍ର କ୍ୟାବିନେଟରେ ‘ବିଏସଏନଏଲ ପୁନରୁଦ୍ଧାର ପ୍ୟାକେଜ୍’ ଅନୁମୋଦିତ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୁଣି ଅଣ୍ଟା ସଳଖି ଛିଡ଼ା ହେବ ବିଏସଏନଏଲ । ବିଏସଏନଏଲକୁ ଆର୍ଥିକ ଦୃଷ୍ଟିରୁ ସକ୍ଷମ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ‘୧.୬୪ ଲକ୍ଷ କୋଟି ଟଙ୍କାର ବିଏସଏନଏଲ ପୁନରୁଦ୍ଧାର ପ୍ୟାକେଜ୍’କୁ ଅନୁମୋଦନ କରାଯାଇଛି । ଯୋଗାଯୋଗ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି।

ଭାରତୀୟ ଟେଲିକମ୍ ବଜାରରେ ବିଏସଏନଏଲର ଉପସ୍ଥିତି ଏକ ବଜାର ସନ୍ତୁଳନକାରୀ ଭାବେ କାର୍ୟ୍ୟ କରିଥାଏ । ବିଏସଏନଏଲ ସେବାର ଉନ୍ନତିକରଣ ପାଇଁ ଅତିରିକ୍ତ ପୁଞ୍ଜି ବିନିଯୋଗ କରିବା, ସ୍ପେକ୍ଟ୍ରମ ଆବଣ୍ଟନ କରିବା, ବାଲାନ୍ସ ସିଟ୍କୁ ଚାପମୁକ୍ତ କରିବା ଏବଂ ଭାରତ ବ୍ରଡବ୍ୟାଣ୍ଡ ନିଗମ ଲିମିଟେଡ (ବିବିଏନଏଲ) ସହିତ ବିଏସଏନଏଲକୁ ମିଶ୍ରଣ ଜରିଆରେ ଫାଇବର ନେଟୱର୍କକୁ ବଢ଼ାଇବା ଉପରେ ଗୁରୁତ୍ବ ଦେଇ ପୁନରୁଦ୍ଧାର ପ୍ୟାକେଜ୍କୁ କ୍ୟାବିନେଟ ମଞ୍ଜୁରି ମିଳିଛି ।

ବର୍ତ୍ତମାନର ସେବାରେ ସୁଧାର ଆଣିବା ଏବଂ ୪-ଜି ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ, ଇକ୍ୟୁଟୀ ନିବେଶ ଜରିଆରେ ୪୪,୯୯୩ କୋଟି ଟଙ୍କା ବ୍ୟୟରେ ବିଏସଏନଏଲକୁ ୯୦୦/୧୮୦୦ ମେଗାହର୍ଜ ବ୍ୟାଣ୍ଡର ସ୍ପେକ୍ଟ୍ରମ ଆବଣ୍ଟନ କରାଯିବ । ଏହି ସ୍ପେକ୍ଟ୍ରମ ସହିତ, ବିଏସଏନଏଲ ବଜାର ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖିନ ହୋଇପାରିବ ଏବଂ ଗ୍ରାମାଞ୍ଚଳ ସମେତ ବିଭିନ୍ନ ସ୍ଥାନରେ ବ୍ୟାପିଥିବା ଏହାର ବ୍ୟାପକ ନେଟୱର୍କକୁ ବ୍ୟବହାର କରି ହାଇସ୍ପିଡ୍ ଡାଟା ଯୋଗାଇ ଦେଇପାରିବ । ତେବେ ଏହି ବିଏସଏନଏଲ କେତେ ଦୂର କାର୍ଯ୍ୟକ୍ଷମ ହୋଇପାରୁଛି ଓ ଗ୍ରାହକଙ୍କ ପସନ୍ଦ ହୋଇପାରୁଛି, ତାହା ଦେଖିବାକୁ ବାକି ରହିଲା ।

 

Leave A Reply

Your email address will not be published.