ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କେରଳରେ ରାଜନୈତିକ ବାଦ ବିବାଦ ଥମିବାର ନାଁ ନେଉନାହିଁ । କେରଳ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କୌଣସି ନା କୌଣସି କାରଣକୁ ନେଇ ବିବାଦ ସବୁବେଳେ ଲାଗି ରହିଥାଏ । ଏହାରି ଭିତରେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ ସୋମବାର ଗଣମାଧ୍ୟମରେ ୨୦୧୯ର ଏକ ହେକ୍ଲିଂ ଭିଡ଼ିଓ ସେୟାର କରିଛନ୍ତି। ୨୦୧୯ରେ ସେ କନ୍ନୁର ବିଶ୍ବବିଦ୍ୟାଳୟରେ ଭାଷଣ ଦେବାବେଳେ କିପରି ଘୋଘା କରି ତାଙ୍କ ଭାଷଣରେ ବାଧା ସୃଷ୍ଟି କରାଯାଇଥିଲା ତାହା ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି। ସେ କହିବାକୁ ଚାହିଛନ୍ତି ସେ ଏହି ଗୋଳମାଳ ସରକାରୀ ପ୍ରାୟୋଜିତ ଥିଲା। ଏହା ସହ ରାଜ୍ୟରେ ବିଶ୍ବବିଦ୍ୟାଳୟଗୁଡ଼ିକ କିପରି ଚାଲୁଛି ସେ ବାବଦରେ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନଙ୍କ ଚିଠି ଏବଂ ତାଙ୍କ ଉତ୍ତରଗୁଡ଼ିକୁ ମଧ୍ୟ ରାଜ୍ୟପାଳ ଗଣମାଧ୍ୟମକୁ ସେୟାର କରିଥିଲେ। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ଖାନ୍ ରାଜଭବନ ଅଡିଟୋରିୟମ୍ରେ ଲଗାଯାଇଥିବା ପ୍ରଶସ୍ତ ପରଦାରେ ଭିଡିଓଗୁଡ଼ିକୁ ସେୟାର କରି କହିଛନ୍ତି, ଦଳର ଜଣେ ବରିଷ୍ଠ କାର୍ୟ୍ୟକର୍ତ୍ତା ଯିଏ କି ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ (ସିଏମ୍ଓ)ରେ କାର୍ୟ୍ୟରତ ସେ କିପରି ପୁଲିସକୁ ତା’ର ଦାୟିତ୍ବ ନିର୍ବାହ କରିବାରୁ ରୋକୁଛନ୍ତି, ତାହା ଏହି ଭିଜୁଆଲ ଦେଖିଲେ ଜଣାପଡ଼ୁଛି। ସେ କହିଛନ୍ତି ଯେଉଁ ରାଜ୍ୟରେ କଳା ଜାମା ପିନ୍ଧିଲେ ଲୋକଙ୍କୁ ଗିରଫ କରାଯାଏ, ସେଠାରେ ଏହିପରି ଘଟଣା ଘଟେ। ମୁଁ ଭାଷଣ ଦେଉଥିବା ବେଳେ ପାଟି କରି ମୋ ଆଡ଼କୁ ମାଡ଼ିଆସୁଥିବା ଲୋକଙ୍କୁ ପୁଲିସ ନିୟନ୍ତ୍ରଣ କରିବାକୁ ଚେଷ୍ଟା କଲାବେଳେ ମୁଖ୍ୟମନ୍ତ୍ରୀଙ୍କ ଲୋକ ପୁଲିସକୁ ତା’ର କର୍ତ୍ତବ୍ୟ ପାଳନ କରିବାକୁ ଦେଉ ନ ଥିଲେ। ସେହି କାରଣରୁ ବୋଧହୁଏ ମିଷ୍ଟର ରାଜେଶଙ୍କୁ ପୁରସ୍କାର ସ୍ବରୂପ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରେ ଉଚ୍ଚପଦ ଦିଆଯାଇଛି।
ରାଜ୍ୟପାଳ ପ୍ରଶ୍ନ କରିଥିଲେ, ଯଦି କନ୍ନୁର ବିଶ୍ବବିଦ୍ୟାଳୟରେ ବିକ୍ଷୋଭ ସ୍ବତଃସ୍ଫୂର୍ତ୍ତ ଥିଲା ତେବେ କିଛି ଲୋକ ହାତରେ ପ୍ଲାକାର୍ଡ ଧରି କାହିଁକି ଆସିଥିଲେ? ରାଜ୍ୟ ସରକାରଙ୍କ ବିରୋଧରେ କେହି କିଛି କହିଲେ ତାଙ୍କ ସ୍ବରକୁ ଚାପିଦେବାର ଚେଷ୍ଟା ହେଉଛି, ଏପରି କି ରାଜଭବନ ବି ସେଥିରୁ ବାଦ୍ ପଡ଼ୁନାହିଁ। କେବଳ ଏହି ଗୋଯିଏ ଘଟଣା ନୁହେଁ, ପୂର୍ବରୁ ଏମିତି ଅନେକ ଘଟଣା ଦେଖିବାକୁ ମିିଳିଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟଧ୍ଳଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି ।