ଓଡ଼ିଶା ନ୍ୟୁଜ (ବ୍ୟୁରୋ): ଚଳିତ ବର୍ଷ ବହୁ ଧୁମ୍ ଧାମରେ ପାଳିତ ହେବାକୁ ଯାଉଛି କାଳୀ ପୂଜା। କାରଣ ଏଥର କୌଣସି କଟକଣା ନାହିଁ। ଗତ ୨ବର୍ଷ ହେବ କରୋନା ପାଇଁ ପୂଜାକୁ ଧୁମ୍ ଧାମରେ ପାଳନ କରି ପାରିନଥିଲେ। ଆସନ୍ତା ଅକ୍ଟୋବର ୨୪ ତାରିଖ କାର୍ତ୍ତିକ ଅମାବାସ୍ୟା ଦିନ ପଡୁଛି କାଳୀପୂଜା ଓ ଦୀପାବଳି ଉତ୍ସବ । ବର୍ଷା ସତ୍ତ୍ୱେ ମଧ୍ଯ ଦଶହରା ଖୁବ୍ ଜମିଥିଲା । ଏବେ କାଳୀ ପୂଜା ପାଇଁ ମଧ୍ୟ ବିଭିନ୍ନ ସ୍ଥାନରେ ଉତ୍ସାହର ସହିତ ପ୍ରସ୍ତୁତି ଚାଲିଛି। ତେବେ ସେହି ସମୟରେ ମଧ୍ୟ ବର୍ଷାର ପ୍ରକୋପ ଦେଖିବାକୁ ମିଳି ପାରେ ।
କାଳୀ ପୂଜା ରେ ବର୍ଷା ଖବର ଶୁଣି ସମସ୍ତଂକ ଚିନ୍ତା ବଢ଼ିଥିବା ବେଳେ ତେବେ ଏହି କାଳୀ ପୂଜାରେ ଆଉ ଗୋଟିଏ ସମସ୍ୟା ରହିଛି ଯାହାକୁ ଆମ ସମସ୍ତଙ୍କୁ ଜାଣିବା ଦରକାର। ତାହା ହେଉଛି ସୂର୍ଯ୍ୟୋପରାଗ । ୨୪ ତାରିଖ କାଳୀପୂଜା ପରଦିନ ୨୫ ତାରିଖରେ ସୂର୍ଯ୍ୟୋପରାଗ ପଡୁଛି । ତେଣୁ ସେଦିନ ପୂଜାବିଧି କିଭଳି ରହିବ ଏବଂ ଲୋକେ ପାଳନ କେମିତି କରିବେ ଆସନ୍ତୁ ଜାଣିବା ସେ ବିଷୟରେ।
କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ ଆଗାମୀ ୨୫ ତାରିଖ ମଙ୍ଗଳବାର ଦିନ ଦୃଶ୍ୟ ହେବ । ପ୍ରାୟ ୧୬ ମିନିଟ୍ ୨୬ ସେକେଣ୍ଡ ପର୍ଯ୍ୟନ୍ତ ଏହା ଶ୍ରୀକ୍ଷେତ୍ର ପୁରୀକୁ ଦେଖାଯିବ । ଏହା ସ୍ପର୍ଶ ହେବ ଅପରାହ୍ନ ୪ଟା ୫୬ ମିନିଟ୍ ୫୨ ସେକେଣ୍ଡରେ । ଆଉ ମୋକ୍ଷ ହେବ ସନ୍ଧ୍ୟା ୫ଟା ୪୩ ମିନିଟ୍ ୪୬ ସେକେଣ୍ଡରେ । ତେବେ ୨୫ ତାରିଖ ଅପରାହ୍ନରେ ସିନା ସୂର୍ଯ୍ୟୋପରାଗ ଲଗିବ । ହେଲେ ଏହା ପୂର୍ବ ଦିନ ଅର୍ଥତ ୨୪ ତାରିଖ ସୋମବାର ଭୋର ୪ଟା ୫୭ ମିନିଟ୍ରୁ ପାକ ତ୍ୟାଗ ରହିଛି । ତେଣୁ ଏହି ସମୟ ଠାରୁ ଭୋଜନ ଏବଂ ଖାଦ୍ୟ ରାନ୍ଧିବା ନିଷେଧ । ଏହା ସହିତ ଦେବନୀତି ମଧ୍ୟ ନିଷେଧ ରହିବ । କେବଳ ବାଲ୍ୟ, ବୃଦ୍ଧ ଏବଂ ରୋଗୀମାନେ ଖାଦ୍ୟ ଖାଇବା ଭଳି କଟକଣାରୁ ମୁକ୍ତ ରହିବେ ।
ଅବଶ୍ୟ ରାଜ୍ୟର ଅନ୍ୟ ସ୍ଥାନରେ ପରାଗ ଆରମ୍ଭ ହେବ ମୋକ୍ଷ ସମୟରେ ଟିକେ ଭିନ୍ନତା ରହିବ । ପରଦିନ ୨୬ ତାରିଖ ବୁଧବାର ସୂର୍ଯ୍ୟ ଦର୍ଶନ ପରେ ଦେବାଦେବୀଙ୍କର ମହାସ୍ନାନ କରାଯାଇ ପାକ କର୍ମ ଓ ନୀତି ଆରମ୍ଭ ହେବ । ଗ୍ରହଣ ବା ଉପରାଗ ଦର୍ଶନ କରିବା ପରେ ସ୍ନାନ କରିବାକୁ ହେବ । ତାପରେ ଯଥାରୀତି ଅନୁଯାୟୀ ନିତିକାନ୍ତି ହେବ।