ବିଧାନସଭା ସମ୍ମୁଖରେ ୨ଦିନରେ ବିଜେପିର ସତ୍ୟାଗ୍ରହ, ଚାଷୀଙ୍କୁ ମୋହାରା ବନାଇ ନିର୍ବାଚନ ବୈତରଣୀ ପାର ହେବାର କଳ୍ପନା କରୁଛି ବିଜେଡି: ପୃଥ୍ୱୀରାଜ ହରିଚନ୍ଦନ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡିଶାରେ ଚାଷୀଙ୍କୁ ସର୍ବଦା ଅବହେଳିତ କରୁଛନ୍ତି ରାଜ୍ୟ ସରକାର । ମଣ୍ଡି ସମସ୍ୟା, ବିହନ ଓ ସାର ଅଭାବ, କଟନି ଛଟନି, ଅବ୍ୟବସ୍ଥିତ ଟୋକନ ବ୍ୟବସ୍ଥା, ବେପାରୀ-ମିଲର-ରାଜ୍ୟ ସରକାରଙ୍କ ମଧୁଚନ୍ଦ୍ରିକା ଭଳି ଚାଷୀମାରଣ ନୀତି କାରଣରୁ ଚାଷୀଙ୍କ ଭବିଷ୍ୟତ ଲୋପ ହେବାକୁ ବସିଲାଣି । ଦୀର୍ଘ ୨୨ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡି ସରକାର ଚାଷୀଙ୍କ ଲାଗି କୌଣସି ବ୍ୟବସ୍ଥା ନକରି ସର୍ବଦା କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିବାରେ ବ୍ୟସ୍ତ । ନିର୍ବାଚନ ଆସିଲେ ବିଜୁ ଜନତା ଦଳର ଚାଷୀଙ୍କ କଥା ମନେ ପଡେ । ଶାସକ ବିଜେଡି ସର୍ବଦା ଚାଷୀଙ୍କୁ ମୋହାରା ବନାଇ ନିର୍ବାଚନ ବୈତରଣୀ ପାର ହେବାର କଳ୍ପନା କରିଥାଏ । ଏଥର ମଧ୍ୟ ଉପନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଜୁ ଜନତା ଦଳ ଚାଷୀଙ୍କୁ ନୂଆ ପ୍ରତାରଣାର ବାଣୀ ଶୁଣାଇବା ସହ ମିଥ୍ୟା ପ୍ରତିଶ୍ରୁତି ଦେଇ ସରଳ, ନିଷ୍ପାପ ହୃଦୟକୁ ଜିତି ନିର୍ବାଚନ ପାରହେବାର ହୀନ ଚକ୍ରାନ୍ତ କରୁଛି । ବିଜୁ ଜନତା ଦଳର ହୀନଚକ୍ରାନ୍ତକୁ ଭାରତୀୟ ଜନତା ପାର୍ଟି କେବେ ସଫଳ ହେବାକୁ ଦେବ ନାହିଁ ବୋଲି ରାଜ୍ୟ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ଭାରତୀୟ ଜନତା ପାର୍ଟି ସର୍ବଦା ଚାଷୀଙ୍କ ସହିତ, ଚାଷୀଙ୍କ ପାଇଁ ଓ ଚାଷୀଙ୍କ ସ୍ୱର ହୋଇ କାର୍ଯ୍ୟ କରିଥାଏ । ରାଜ୍ୟ ସରକାରଙ୍କ ଅସହଯୋଗ ପାଇଁ ଓଡିଶାର ଚାଷୀ ସବୁଠୁ ଗରିବ । ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ କେନ୍ଦ୍ରରେ ମୋଦି ସରକାର ସଂକଳ୍ପବଦ୍ଧ କିନ୍ତୁ ବିଜୁ ଜନତା ଦଳ ଚାଷୀଙ୍କ ତଂଟିରେ କଂଟା ସାଜି ସମସ୍ତ ସୁବିଧାରୁ ବଂଚିତ କରୁଛନ୍ତି । କେନ୍ଦ୍ର ସରକାର ସର୍ବଭାରତୀୟ ସ୍ତରରେ ଚାଷୀର ଆୟ ୧୦ ହଜାର ଟଙ୍କା କରିଥିବା ବେଳେ ଓଡିଶାରେ ତାହା ମାତ୍ର ୫ ହଜାରରେ ସୀମିତ । ଯାହା ଓଡ଼ିଶାର ଚାଷୀଙ୍କ ଦୁର୍ଭାଗ୍ୟ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଓଡ଼ିଶାର ଚାଷୀ ସବୁଠୁ ଅବହେଳିତ ବର୍ଗ । ଓଡିଶାର ୭୦% ଅଧିକ ଜନସାଧାରଣ ଚାଷ ସହ ସଂପୃକ୍ତ ଓ ନିଜେ ଚାଷୀ ଅଟନ୍ତି । କିନ୍ତୁ ଅପାରଗ ରାଜ୍ୟ ସରକାର ଚାଷୀଙ୍କୁ ଅଣଦେଖା କରିବା ସହ ସମ୍ପୂର୍ଣ୍ଣ ଚାଷମାରଣ ନୀତି ଅବଲମ୍ବନ କରୁଛନ୍ତି ।
ଦୀର୍ଘ ୨୨ବର୍ଷ ଧରି ନବୀନ ବାବୁ ଚାଷୀଙ୍କୁ ଅବହେଳା କରୁଛନ୍ତି । ଧାନର ସହାୟକ ମୂଲ୍ୟ କେନ୍ଦ୍ର ସରକାର ୨୦୪୦ଟଙ୍କା କରିଥିଲେ ବି ଚାଷୀ ଆଜି ତାରିଖରେ ଦଲାଲଙ୍କୁ ୧୨୫୦ରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ଫଳରେ ଚାଷୀ ମୁଣ୍ଡରେ ଚଡକ ପଡିଛି କହିଲେ ଅତୁକ୍ତି ହେବ ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଓଡ଼ିଶା ପ୍ରଦେଶର ଚାଷରୀ ହାଆ ହୁତାସରେ ଜୀବନ କାଟୁଛି । ୧୦ବର୍ଷ ଭିତରେ ୩୦ ରୁ ୩୫% ଧାନ ଚାଷ ହେଉଥିବା ଜମି ଏବେ ପଡିଆ ପଡିଛି ବିଭିନ୍ନ ଅଂଚଳରେ । ଚାଷୀଙ୍କ ପ୍ରତି ରାଜ୍ୟ ସରକାର ଅବହେଳା ଓ ଅନ୍ୟାୟ କରିଛନ୍ତି । ଆଜିର ଏହି ସତ୍ୟାଗ୍ରହରେ ପୁରୀ ଜିଲ୍ଲାର ନିମାପଡା ଓ କାକଟପୁର ଦୁଇ ବିଧାନସଭା ମଣ୍ଡଳୀର ଜନସାଧାରଣ ସାମିଲ ହୋଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଭାରତୀୟ ଜନତା ପାର୍ଟି ନିର୍ଣ୍ଣାୟକ ଲଢ଼େଇ ଲଢ଼ୁଛି ଓ ସର୍ବଦା ଚାଷୀଙ୍କ ସାଙ୍ଗରେ ଭାରତୀୟ ଜନତା ପାର୍ଟି ରହିଛି ଓ ଆଗକୁ ରହିବ । ଚାଷୀଙ୍କ ଲାଗି ଭାରତୀୟ ଜନତା ପାର୍ଟି ବିଧାନସଭା ସମ୍ମୁଖରେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସତ୍ୟାଗ୍ରହ କରିବ । ଯଦି ସତ୍ୟାଗ୍ରହ ପରେ କୁମ୍ଭକର୍ଣ୍ଣରେ ଶୋଇଥିବା ରାଜ୍ୟ ସରକାରଙ୍କ ନିଦ ନଭାଙ୍ଗେ ତାହାଲେ ଆଗାମୀ ଦିନରେ ବିଜେପି ଜିଲ୍ଲା ଓ ସବଡିଭିଜନସ୍ତରରେ ବ୍ୟାପକ ସତ୍ୟାଗ୍ରହ କରିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।