କୋର୍ଟ ଅବମାନନା କରି ନିଃସର୍ତ୍ତ କ୍ଷମା ମାଗିଲେ ଟାଙ୍ଗି ଲୟର୍ସ ଆସୋସିଏସନ ସଭାପତି, ପୁଣିଥରେ ଭୁଲ ହେବନାହିଁ ବୋଲି ଦେଲେ ପ୍ରତିଶୃତି
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଟାଙ୍ଗୀ ଲୟର୍ସ ଆସୋସିଏସନ୍ ସଭାପତି ଏନ.କେ.ନାୟକ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ଜଷ୍ଟିସ ଏସ.ତାଳପତ୍ର ଓ ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଅଦାଲତ ଅବମାନନା ମାମଲାର ଶୁଣାଣି ସମୟରେ ଶ୍ରୀ ନାୟକ ବ୍ୟକ୍ତିଗତ ଭାବେ ହାଜର ହୋଇ ସତ୍ୟପାଠ ଦାଖଲ କରିଛନ୍ତି। ଭବିଷ୍ୟତରେ ପୂର୍ବ ଘଟଣାର ପୁନରାବୃତ୍ତି ହେବ ନାହିଁ ବୋଲି ସେ ଲଖିତ ପ୍ରତିଶ୍ରୁତି ଦେଇଛନ୍ତି। ଡିସେମ୍ବର ୨୨କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ୨୦୨୨ ଅକ୍ଟୋବର ୩୦ରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀସ୍ଥିତ ଜେଏମଏଫସି ଅଦାଲତ ବିଚାରପତି ହାଇକୋର୍ଟଙ୍କୁ ଏକ ଚିଠି ଲେଖିଥିଲେ।
ଚିଠି ସହିତ ଜେଏମଏଫସି କେତେକ ତଥ୍ୟ ଦାଖଲ କରିଥିଲେ। ଲୟର୍ସ ବାର୍ ଆସୋସିସନ୍ ସଭାପତିଙ୍କ ପକ୍ଷରୁ ନ୍ୟାୟାଧିକାରୀ ତଥା ଜେଏମଏଫସିଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯିବା ଅଭିଯୋଗ ହୋଇଥିଲା।ଏହି ତଥ୍ୟ ଆଧାରରେ ହାଇକୋର୍ଟ ନିଜ ଆଡୁ ଏହି ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ଅଦାଲତଙ୍କ କୌଣସି ନିର୍ଦ୍ଦେଶ ବିରୋଧରେ ଗଲେ ତୁରନ୍ତ କୋର୍ଟ ବର୍ଜନ ପାଇଁ ଡାକରା ଦିଆଯାଉଛି। ଏଭଳି ସ୍ଥିତିରେ ଟାଙ୍ଗୀ ଅଦାଲତରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି ବୋଲି ହାଇକୋର୍ଟରେ ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା।
ହାଇକୋର୍ଟ କଂଟେମ୍ପ୍ଟ ଅଫ୍ କୋର୍ଟସ୍ ଆକ୍ଟର ଧାରା ୧୫(୨)ରେ ମାମଲାରେ କଗନିଜାନ୍ସ ଗ୍ରହଣ କରି ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ। ଟାଙ୍ଗୀ ବାର୍ ସଭାପତିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ଜବାବ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।