ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଜେଡିର ଭବିଷ୍ୟତକୁ ନେଇ ସୁପ୍ରିମୋଙ୍କ ବଡ଼ ବାର୍ତ୍ତା।ବିଜେଡି କେବେ ବି ଜଣେ ଦୁଇ ଜଣଙ୍କ ଉପରେ ନିର୍ଭର କରି ନାହିଁ ଏବଂ ଭବିଷ୍ୟତରେ ବି କରିବ ନାହିଁ । ଏହା ଏକ ସାମାଜିକ ଆନ୍ଦୋଳନ। କେବଳ ୨୫ ବର୍ଷ ପୂର୍ତ୍ତି ନୁହେଁ ଆଗାମୀ ୫୦ ଏପରିକି ୧୦୦ ବର୍ଷ ପାଇଁ ଦଳ ରାଜ୍ୟ ପାଇଁ ସେବା କରିବ। ପୁରୀ ଠାରେ ବିଜେଡିର ପ୍ରତିଷ୍ଠା ଦିବସରେ ଯୋଗ ଦେଇ ଏହା କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
କଣ ପାଇଁ ଓଡ଼ିଶା ଲୋକେ ବିଜେଡିକୁ ଲଗାତର ଆର୍ଶୀବାଦ କରୁଛନ୍ତି ତାହାର ଗୁରୁ ମନ୍ତ୍ର ବତାଇଛନ୍ତି ବିଜେଡି ସୁପ୍ରିମୋ। ଗୋଟିଏ regional partyର ମୁଖ୍ୟ କର୍ତ୍ତବ୍ୟ ହେଉଛି – ରାଜ୍ୟବାସୀଙ୍କୁ ଆଖିରେ ରଖି ତାଙ୍କ ସେବାକୁ only agenda ରଖିକି କାମ କରିବା। ବିଜେଡି କେବେ ବି ଏହି agendaରୁ ହଟି ନାହିଁ । ବିଜୁ ବାବୁଙ୍କ ଆଦର୍ଶ । ସେ ମହାନ ଜନନାୟକ ଯେଉଁ ରାସ୍ତା ଦେଖାଇଛନ୍ତି, ସେହି ରାସ୍ତାରେ ତାଙ୍କ ନାମରେ ଗଠିତ ଦଳ କାମ କରୁଛି ଓ ଆଗକୁ ମଧ୍ୟ କରିବ ।
ସ୍ବଚ୍ଛ ଓ ନିର୍ମଳ ଶାସନ
ଆମର vested interest ହେଉଛି ଓଡିଶାର ଉନ୍ନତି । ଓଡିଶାବାସୀଙ୍କ ଉନ୍ନତି । ୨୦୦୦ ମସିହାରୁ ଯେତେବେଳେ ଓଡିଶାବାସୀ ଆମକୁ ଆଶୀର୍ବାଦ କରିଆସିଛନ୍ତି, ସେତେବେଳେ ଠାରୁ ମା ମାନଙ୍କ ସଶକ୍ତିକରଣକୁ ଆମେ ଗୁରୁତ୍ବ ଦେଇ ଆସିଛୁ।ଦେଶ ବିଦେଶରେ ଆମ ସରକାର ଓ ଆମ governance modelକୁ ସମସ୍ତେ ପ୍ରଶଂସା କରୁଛନ୍ତି।
ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ୧୨ଟା ରେ ପୁରୀ ତାଳବଣିଆ ହେଲିପ୍ୟାଡ଼ ଠାରେ ପହଂଚିବା ପରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କୁ ସଭାସ୍ଥଳ କୁ ପାଛୋଟି ନିଆଯାଇଥିଲା। ସଭା ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେଡି ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ପ୍ରସନ୍ନ ପାଟ୍ଟଶାଣୀ, ଦେବୀପ୍ରସାଦ ମିଶ୍ରଙ୍କ ସହ ଦଳର ଛାମୁଆଁ ସଂଗଠନର ପ୍ରମୁଖ ପ୍ରମିଳା ମଲ୍ଲିକ, ସୁଦାମ ମାରାଣ୍ଡି ଓ ପ୍ରଣବ ପ୍ରକାଶ ଦାସ ମଞ୍ଚାସୀନ ହୋଇଥିଲେ। ମୁଖ୍ୟମନ୍ତ୍ରୀ ସଭାସ୍ଥଳକୁ ଆସିବା ପୂର୍ବରୁ ବିଜେଡିର ବରିଷ୍ଠ ନେତୃବୃନ୍ଦ ମାନେ ବିଜେଡି ଦଳର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିବା ସହ ରାଜ୍ୟର ବୃହତର ସ୍ବାର୍ଥ ପାଇଁ ଦଳର କର୍ମକର୍ତ୍ତା ଓ ନେତାମାନେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।
ରୌପ୍ୟ ଜୟନ୍ତୀ ପାଳନ ଅବସରରେ ପୁରୀରେ ରାଜ୍ୟର ବରିଷ୍ଠ କର୍ମକର୍ତ୍ତାଙ୍କ ସହ ସମସ୍ତ ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତ ସ୍ତରର ନେତା ଓ କର୍ମକର୍ତ୍ତାମାନଙ୍କୁ ଦେଖିବାକୁ ମିଳିଥିଲା। ଆଗାମୀ ୨୦୨୪ ରେ ସାଧାରଣ ନିର୍ବାଚନ ଥିବାରୁ ଦଳୀୟ ନେତା ଓ କର୍ମୀମାନେ ଏହି ଦିବସକୁ ଉତ୍ସାହର ସହ ମହାସମାରୋହରେ ଏହାକୁ ପାଳନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ କର୍ମୀଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ୨୫ ପ୍ଲାଟୁନ ଫୋର୍ସ ସହ ୧୦୦ ରୁ ଉର୍ଦ୍ଧ୍ବ ଅଧିକାରୀ ମୁତୟନ ହୋଇଥିଲେ।