ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିକାଣ୍ଡ ଘଟଣାରେ ଏତଲା ଦେଲେ ବ୍ରଜରାଜନଗର ଥାନା ଆଇଆଇସି, ହତ୍ୟା ଉଦ୍ଦେଶ୍ୟରେ ଗୁଳି ଚାଳନା କରିଥିଲେ ଗୋପାଳ ଦାସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମନ୍ତ୍ରୀ ନବ ଦାସଙ୍କ ଉପରେ ଗୁଳିମାଡ଼ ଘଟଣାରେ ଥାନାରେ ଏତଲା ଦେଇଛନ୍ତି ବ୍ରଜରାଜନଗର ଥାନା ଆଇଆଇସି ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ । ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ୨୯ ତାରିଖରେ ମନ୍ତ୍ରୀ ନବ ଦାସ ବ୍ରଜରାଜନଗର ଗାନ୍ଧୀ ଛକ ନିକଟରେ ଲିଫ୍ଟ ଆଣ୍ଡ ସିଫ୍‌ଟ ବିଲିଡିଂରେ ଥିବା ଅଧ୍ୟକ୍ଷ-ଉପାଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିଲା । ଏଥିପାଇଁ ୨୯ ତାରିଖ ଦିନ ୧୦ଟା ୩୦ରୁ ଟ୍ରାଫିକ ବ୍ୟବସ୍ଥା, ଆଇନଶୃଙ୍ଖଳା, ଏସକର୍ଟ ଓ ପାଇଲଟ ଡ୍ୟୁଟି ବନ୍ଦୋବସ୍ତ କରାଯାଇଥିଲା । ଦିନ ୧୨ଟା ୧୫ ମିନିଟରେ ମନ୍ତ୍ରୀ ନବ ଦାସ ଆସି ପହଞ୍ଚିବା ପରେ କାର୍‌ରୁ ଓହ୍ଲାଇଥିଲେ । ଏହି ସମୟରେ ହଠାତ୍‌ ଏଏସଆଇ ଗୋପାଳକୃଷ୍ଣ ଦାସ ଅତି ନିକଟକୁ ଆସି ମନ୍ତ୍ରୀ ନବ ଦାସଙ୍କ ଉପରକୁ ନିଜ ସର୍ଭିସ ପିସ୍ତଲରୁ ଗୁଳି ଚଲାଇଥିଲେ । ମନ୍ତ୍ରୀଙ୍କୁ ହତ୍ୟା ଉଦ୍ଦେଶ୍ୟରେ ଗୁଳି ଚାଳନା କରିଥିଲେ ଗୋପାଳ ଦାସ । ଗାନ୍ଧୀ ଛକ ଫାଣ୍ଡିର ଏଏସଆଇ ଗୋପାଳ ଦାସ ଟ୍ରାଫିକ କ୍ଲିୟରାନ୍‌ସ ଡ୍ୟୁଟିରେ ଥିଲେ ।

ଗୁଳି ମନ୍ତ୍ରୀ ନବ ଦାସଙ୍କ ଛାତିରେ ବାଜିଥିଲା । ଫଳରେ ସେ ସେଠାରେ ପଡ଼ିଯାଇଥିଲେ । ତାଙ୍କର ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଏହାପରେ ମୁଁ ଓ ରାମପୁର ପୋଲିସ ଫାଣ୍ଡିର କନେଷ୍ଟବଳ କେ.ସି ପ୍ରଧାନ ଦୁର୍ବୃତ୍ତଙ୍କୁ କାବୁ କରିଥିଲୁ । ଠେଲାପେଲା ଭିତରେ ଏଏସଆଇ ଦାସ ନିଜ ୯ ଏମଏମ ପିସ୍ତଲରୁ ଆଉ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ଦ୍ୱିତୀୟ ଥର ତାଙ୍କର ଗୁଳିମାଡ଼ରେ ମୋ ରିଙ୍ଗ୍‌ ଫିଙ୍ଗରରେ ଆଘାତ ଲାଗିଥିବା ଆଇଆଇସି ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ ଏତଲାରେ ଲେଖିଛନ୍ତି ।

ସେହିପରି ଗୁଳିମାଡ଼ରେ ଅନ୍ୟ ଜଣେ ବ୍ୟକ୍ତି କାଳୀନଗରର ଜୀବନ ଲାଲ ନାୟକ ଓରଫ ରିଣ୍ଟୁ ଆହତ ହୋଇଛନ୍ତି । କିଛି ସମୟ ଧରି ଧସ୍ତାଧସ୍ତି ପରେ ମୁଁ ଓ କନେଷ୍ଟବଳ କେ.ସି ପ୍ରଧାନ ଏଏସଆଇ ଗୋପାଳ ଦାସଙ୍କୁ କାବୁ କରିଥିଲୁ । ଏଥିସହ ଆହତ ମନ୍ତ୍ରୀ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଏନେଇ ବ୍ରଜରାଜନଗର ଥାନାରେ ଅଭିଯୁକ୍ତ ନାଁରେ ହତ୍ୟା ନେଇ ଆଇପିସିର ଧାରା ୩୦୨ ଓ ଆର୍ମସ ଆକ୍ଟରେ ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.