ଆସନ୍ତା ୨୧ ତାରିଖରେ ହାଇକୋର୍ଟରେ ହେବ ବିଭିନ୍ନ ନଦୀ ଓ ଜଳଭଣ୍ଡାରରେ ଡଙ୍ଗା ଓ ବୋଟ ଦୁର୍ଘଟଣାକୁ ନେଇ ଆଗତ ମାମଲାର ଶୁଣାଣି
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟର ବିଭିନ୍ନ ନଦୀ ଓ ଜଳଭଣ୍ଡାରରେ ଡଙ୍ଗା/ବୋଟ ଦୁର୍ଘଟଣାକୁ ନେଇ ଆଗତ ମାମଲାର ଶୁଣାଣି ଏକପ୍ରକାରର ଅନ୍ୟ ମାମଲା ସହିତ ଆସନ୍ତା ୨୧ ତାରିଖରେ ହେବ ବୋଲି ଧାର୍ଯ୍ୟ କରାଯାଇଛି। ନିୟମିତ ଭାବେ ଡ଼ଙ୍ଗା ବୁଡି ଭଳି ଦୁର୍ଘଟଣା ଘଟି ବହୁ ଧନଜୀବନ ହାନି ହେଉଥିବା ବେଳେ ଏଭଳି ଘଟଣାର ନିୟନ୍ତ୍ରଣ ପାଇଁ ରାଜ୍ୟରେ ସ୍ୱତନ୍ତ୍ର ଆଇନ ନାହିଁ। ଡ଼ଙ୍ଗାବୁଡିରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ପାଇଁ ଜନସ୍ୱାର୍ଥ ମାମଲାରେ ପ୍ରାର୍ଥନା କରାଯାଇଛି। ନିୟମ ଅନୁଯାୟୀ ସୁରକ୍ଷା ପାଇଁ ବୋଟରେ ପଦକ୍ଷେପ ଗ୍ରହଣ କରିବା ଓ ଲାଇଭ ଜ୍ୟାକେଟ ସମସ୍ତେ ପରିଧାନ କରିବା ଭଳି ପ୍ରସଙ୍ଗ ନେଇ ହାଇକୋର୍ଟରେ ଦାୟର ତିନୋଟି ପୃଥକ ମାମଲାର ଏକତ୍ର ଶୁଣାଣି ହାଇକୋର୍ଟ ଫେବୃଆରୀ ୨୧ ତାରିଖରେ କରିବେ ବୋଲି ଧାର୍ଯ୍ୟ କରିଛନ୍ତି।
ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ୨୦୧୪ ରେ କୋରାପୁଟରେ ହୋଇଥିବା ଡ଼ଙ୍ଗା ବୁଡି ଓ ହୀରାକୁଦ ଜଳଭଣ୍ଡାର ଡ଼ଙ୍ଗା ବୁଡି ଘଟଣାର ଶୁଣାଣି ରହିଥିଲା। କୋଲାଵର ଶାଖା ନଦୀ ପାତାଳୀରେ କୋରାପୁଟ ନନ୍ଦପୁର ବ୍ଲକର ଚିତନପଡା ଗାଁର ଲୋକେ ସୀମାନ୍ତ ଆନ୍ଧ୍ରପ୍ରଦେଶର ଏକ ହାଟକୁ ଯାଇ ଫେରୁଥିବା ବେଳେ ୬ ଜଣ ଲୋକ ମୃତ୍ୟୁବରଣ କରିଥିଲେ।
ଅନ୍ୟପଟରେ ୨୦୧୩ ରେ ହୋଇଥିବା ଏକ ଡ଼ଙ୍ଗା ବୁଡି ଘଟଣାରେ ଆର.କେ.ମାଇତିଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ଆବେଦନର ଶୁଣାଣି ଆସନ୍ତା ୨୧ ରେ ହେବାକୁ ଥିବା ବେଳେ ଏହି ମାମଲା ମଧ୍ୟ ସେଦିନ ଏକତ୍ର ଶୁଣାଣି ହେଵ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପଡୋଶୀ ରାଜ୍ୟରେ ଡଙ୍ଗା ଗୁଡିକର ପଞ୍ଜୀକରଣ ଠାରୁ ଆରମ୍ଭ କରି ନିୟନ୍ତ୍ରଣ ପାଇଁ ବେଙ୍ଗଲ ଫେରିଜ୍ ଆଇନ ୧୯୮୫, ତାମିଲନାଡୁ କେନାଲସ୍ ଆଣ୍ଡ ପବ୍ଲିକ ଫେରିଜ ଆକ୍ଟ, ୧୮୯୦ ଭଳି ଆଇନ ରହିଛି।
୨୦୦୪ରେ ବାଣିଜ୍ୟ ଓ ପରିବହନ ବିଭାଗ ‘ଡ୍ରାଫ୍ଟ ଓଡ଼ିଶା ବୋଟ୍ ରୁଲ୍ସ’ ସଂପର୍କିତ ବିଜ୍ଞପ୍ତି ପ୍ରକାଶ କରିଥିଲା। କିନ୍ତୁ ରାଜ୍ୟରେ ଡଙ୍ଗା ବୁଡି ବା ବୋଟ ଦୁର୍ଘଟଣାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କୁ ଉପଯୁକ୍ତ ବୀମା କ୍ଷତିପୂରଣ ଓ ଅନ୍ୟାନ୍ୟ ପଦକ୍ଷେପ ପ୍ରସଂଗରେ ଏ ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ନାହିଁ। ଡଙ୍ଗା ଗୁଡିକର ପଞ୍ଜୀକରଣ ଠାରୁ ଆରମ୍ଭ କରି ବୀମା ପରିସରଭକ୍ତ କରାଯିବା, ଏଥିରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ନିୟମ ନାହିଁ ବୋଲି ଅଭିଯୋଗ ହୋଇଛି। ହାଇକୋର୍ଟ ଜନସ୍ବାର୍ଥ ଆବେଦନର ଶୁଣାଣି କରି ପୂର୍ବରୁ ରାଜ୍ୟ ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଆମିକସ୍ କ୍ୟୁରୀ ଦାଖଲ କରିଥିବା ତଥ୍ୟର କପି ଅତିରିକ୍ତ ସରକାରୀ ଓକିଲଙ୍କୁ ପ୍ରଦାନ ମଧ୍ୟ କରାଯାଇଥିଲା। ଫେବୃଆରୀ ୨୧କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।