ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଟକ ଯୋବ୍ରା ନୂଆସାହିରେ ଏକ ଦୁଇ ମହଲା କୋଠାରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଠାକୁର ଘର ଦୀପରୁ ନିଆଁ ଲାଗି ଏହି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ସ୍ଥାନୀୟ ବାସିନ୍ଦା ଖବର ଦେବା ପରେ ବକ୍ସିବଜାର ଅଗ୍ନିଶମ କେନ୍ଦ୍ର ଓ ଚାଉଳିଆଗଞ୍ଜ ଅଗ୍ନିଶମ କେନ୍ଦ୍ରରୁ ଦୁଇଟି ନିଆଁଲିଭା ଗାଡି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀଙ୍କ ସହିତ ସ୍ଥାନୀୟ ଯୁବକ ମାନେ ସହଯୋଗ କରି ଘରେ ଥିବା ବୃଦ୍ଧାଙ୍କୁ ବାହାରକୁ ବାହାର କରିବା ସହିତ ଆସବାବପତ୍ର ବାହାରକୁ ବାହାର କରିଥିଲେ। ଠାକୁର ଘର ଖଟୁଲି କାଠରେ ହୋଇଥିବା ବେଳେ ଦୀପ ନିଆଁ ଖଟୁଲିରେ ଲାଗି ଯାଇଥିଲା।
ଖଟୁଲିରେ ନିଆଁ ଲାଗିବା ପରେ ଉଗ୍ରରୂପ ନେଇଥିଲା। ଠାକୁର ଘରୁ ତଳ ମହଲର ଅନ୍ୟ ଘରକୁ ନିଆଁ ବ୍ୟାପିଥିଲା। ତଳ ମହଲାରେ ଘର ମାଲିକ ନିଜେ ରହୁଥିବା ବେଳେ ଉପର ମହଲାକୁ ଭଡାରେ ଦେଇଥିଲେ। ଉପର ମହଲା କିମ୍ବା ପାଖ ପଡ଼ୋଶୀଙ୍କ ଘରକୁ ନିଆଁ ବ୍ୟାପିବା ପୂର୍ବରୁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ଥିଲା। ତେବେ ଘର ଭିତରେ ସଂକୀର୍ଣ୍ଣ ରାସ୍ତା ଓ ଅତ୍ୟଧିକ ଧୂଆଁ ନିଆଁକୁ ଆୟତ୍ତ କରିବାରେ ବାଧକ ସୃଷ୍ଟି କରିଥିଲା। ତଥାପି ଏକଘଣ୍ଟା ମଧ୍ୟରେ ଏହି ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ। ଏଥିପାଇଁ ଅଗ୍ନିଶମ ବହିନୀକୁ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ବାସିନ୍ଦା ଓ କର୍ପୋରେଟର।