ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆସିଲା ଅବକାରୀ ନୀତି । ଏନେଇ ଅବକାରୀ ବିଭାଗ ପକ୍ଷରୁ ଜାରି ହେଲା ନୂଆ ନିୟମ । ରାଜ୍ୟ ସରକାର ଆଇଏମଏଫଏଲ୍ ଉପରେ ଅବକାରୀ ଶୁଳ୍କରେ ସାମାନ୍ୟ ବୃଦ୍ଧି କରିଛନ୍ତି । ଏହା ସହିତ ଆସନ୍ତା ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଅଫ୍ ସପ୍ ମଦ ଦୋକାନ ଖୋଲିବା ପାଇଁ ଅନୁମତି ମିଳିବ ନାହିଁ । ସମସ୍ତ ପ୍ରକାରର ଅଫ-ସପ୍ ମଦ ଦୋକାନ ସଂଖ୍ୟା ବୃଦ୍ଧି ଉପରେ କଟକଣା ଜାରି ହୋଇଛି । ତେବେ ଏସବୁ ଦୋକାନର ନବୀକରଣ ପାଇଁ ସରକାର ଅନୁମତି ଦେଇଛନ୍ତି । ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ ଗ୍ରାମାଞ୍ଚଳରେ କୌଣସି ପ୍ରକାରର ଅନ୍ ସପ୍ ଲାଇସେନ୍ସ ପ୍ରଦାନ ପାଇଁ ନୂଆ ଆବେଦନ ଗ୍ରହଣ କରାଯିବ ନାହିଁ । କେବଳ ସହରାଞ୍ଚଳରେ ତାରକା ହୋଟେଲ ଓ ଅନ୍ୟ ହୋଟେଲ ଗୁଡ଼ିକର ରୁମ୍ ସଂଖ୍ୟାକୁ ଦୃଷ୍ଟିରେ ରଖି ଅବକାରୀ କମିଶନର ଅନ୍ ସପ୍ ଲାଇସେନ୍ସ ପ୍ରଦାନ କରିପାରିବେ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଜାରି କରିଥିବା ଅବକାରୀ ନୀତିରେ ଏହା ଉଲ୍ଲେଖ ରହିଛି । ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଥିବା ନୂଆ ଅବକାରୀ ନୀତି ଆସନ୍ତା ଏପ୍ରିଲ ୧ ତାରିଖରୁ ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ବଳବତ୍ତର ରହିବ । ନୂଆ ଅବକାରୀ ନୀତିରେ ରାଜ୍ୟ ସରକାର ଲାଇସେନ୍ସ ଫି, ଏମଜିକ୍ୟୁ, ମଦ ପ୍ରସ୍ତୁତ ପାଇଁ ଆବେଦନ ଫି’, ଯୋଗାଣକାରୀ ଓ ରିଟେଲର ଫି’ରେ ସାମାନ୍ୟ ବୃଦ୍ଧି କରିଛନ୍ତି । ଅନ୍ ସପ୍ ମଦ ଦୋକାନକୁ ଅଫ୍ ସପ୍ ଭଳି କାଉଣ୍ଟର ବିକ୍ରି ଉପରେ କଟକଣା ଜାରି ହୋଇଛି । ସମସ୍ତ ଅଫ ସପ୍, ଅନ ସପ୍ ଲାଇସେନ୍ସଧାରୀଙ୍କୁ ସବୁ ପରିମାଣର ବିଦେଶୀ ମଦ ନେବାକୁ ପଡ଼ିବ । ତେବେ କେବଳ ଏଫଏଲ୍ ଅନ୍ ଲାଇସେନ୍ସଧାରୀଙ୍କୁ ଓଡ଼ିଶା ମଦ ନିଗମରୁ କେଜ୍ ବିୟର ଉଠାଇବାକୁ ଅନୁମତି ରହିଛି ।
ସୂଚନାଯୋଗ୍ୟ, ପୂର୍ବରୁ ମଦ ବିକ୍ରିକୁ ପ୍ରୋତ୍ସାହନ ପାଇଁ ଏପରି ସୁପାରିଶ କରିଥିଲା ଖୋଦ ଗୃହ କମିଟି । କେବଳ ସେତିକି ନୁହେଁ, ମଦ ବିକ୍ରିକୁ ପ୍ରୋତ୍ସାହିତ କରିବା ପାଇଁ ଅଧିକ ପରିମାଣର ମଦ ବିକିଲେ ନଗଦ ପୁରସ୍କାର ରାଶି ମିଳିବ ବୋଲି ଘୋଷଣା କରାଯେଇଥିଲା । ବିଧାନସଭାରେ ଉପସ୍ଥାପିତ ଅବକାରୀ ବିଭାଗ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଅନୁସାରେ ଯେଉଁ ମଦ ଦୋକାନ ଏମଜିକ୍ୟୁ କୋଟାଠୁ ଅଧିକ ମଦ ଉଠାଉଛନ୍ତି ସେମାନଙ୍କ ଲାଗି ପୁରସ୍କାରର ବ୍ୟବସ୍ଥା କରାଯିବ । ଖାଲି ସେତିକି ନୁହେଁ ରାଜ୍ୟରେ ଅଧିକ ପରିମାଣର ବିଦେଶୀ ମଦ ଦୋକାନ ଖୋଲିବାକୁ ମଧ୍ୟ ସୁପାରିଶ କରାଯାଇଛି । ଏବାଦରେ ରାଜ୍ୟ ସରକାର ବାର୍ଷିକ 4,600 କୋଟି ଟଙ୍କା ରାଜସ୍ୱ ଆଦାୟ ପାଇଁ ଲକ୍ଷ୍ୟ ରଖିଛନ୍ତି । 2008-09ରେ ଅବକାରୀ ବିଭାଗରୁ 849 କୋଟି ଟଙ୍କା ରାଜସ୍ୱ ମିଳିଥିବା ବେଳେ 2018-19ରେ ଏହା 3 ହଜାର 925 କୋଟି ଟଙ୍କାରେ ପହଞ୍ଚିଛି । ଏପଟେ ବିଭାଗୀୟ ରିପୋର୍ଟ କହୁଛି ରାଜ୍ୟରେ ବର୍ଷକୁ ବର୍ଷ ମଦ ବିକ୍ରି ବଢୁଛି । 2009-10 ବର୍ଷରେ ରାଜ୍ୟରେ 265.26 ଲକ୍ଷ ଲିଟର ବିଦେଶୀ ମଦ, 68.39 ଲକ୍ଷ ଲିଟର ଦେଶୀ ମଦ, 635.13 ଲକ୍ଷ ବିଅର ବିକ୍ରି ହୋଇଥିବା ବେଳେ 2018-19 ବେଳକୁ ଏହା 528.92 ଲକ୍ଷ ଲିଟର ବିଦେଶୀ ମଦ, 95.56 ଲକ୍ଷ ଲିଟର ଦେଶୀ ମଦ ଓ 867.53 ଲକ୍ଷ ଲିଟର ବିୟର ବିକ୍ରି ହୋଇଛି ।