
ଏହାରି ମଧ୍ୟରେ ଆଇପିଏଲ ୨୦୨୩ର ସମ୍ପୂର୍ଣ୍ଣ ଖେଳସୂଚୀ ଘୋଷଣା କରିଛି ବିସିସିଆଇ । ପ୍ରଥମ ମ୍ୟାଚ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧିନ ଦଳ ଗୁଜୁରାଟ ଟାଇଟାନ୍ସ ଏବଂ ଏମଏସ ଧୋନିଙ୍କ ଅଧିନାୟକରେ ଥିବା ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ। ଏହାର ଅର୍ଥ ହେଉଛି ଯୁବ ତାରକା ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ମ୍ୟାଚରେ ଅଭିଜ୍ଞ ମହେନ୍ଦ୍ର ସିଂ ଧୋନିଙ୍କ ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ । ତେବେ ଫାଇନାଲ ମ୍ୟାଚ୍ ୨୩ ମେ ଖେଳାଯିବ । ୫୨ ଦିନ ଧରି ଚାଲିବାକୁ ଥିବା ବିଶ୍ୱର ଏହି ବିତ୍ତଶାଳୀ ଲିଗରେ ୧୦ଟି ଦଳ ମଧ୍ୟରେ ମୋଟ୍ ୭୦ ଟି ଲିଗ୍ ମ୍ୟାଚ୍ ଖେଳାଯିବ । ଏହା ପରେ ଚାରୋଟି ପ୍ଲେ ଅଫ୍ ମ୍ୟାଚ୍ ଖେଳାଯିବ । ଏହିପରି ଭାବେ ଟୁର୍ଣ୍ଣାମେଣ୍ଟରେ ମୋଟ ୭୪ ଟି ମ୍ୟାଚ୍ ଖେଳାଯିବ । ସେଥିମଧ୍ୟରୁ ୧୮ଟି ଡବଲ୍ ହେଡର୍ (ଗୋଟିଏ ଦିନରେ ଦୁଇଟି ମ୍ୟାଚ୍) ରହିବ । ସମସ୍ତ ମ୍ୟାଚ୍ ସମଗ୍ର ଦେଶରେ 12ଟି ଗ୍ରାଉଣ୍ଡରେ ଖେଳାଯିବ । ଗୋଟିଏ ଦଳ ଲିଗ୍ ରାଉଣ୍ଡରେ ସାତୋଟି ମ୍ୟାଚ୍ ଏବଂ ବିରୋଧୀ ଦଳର ଗ୍ରାଉଣ୍ଡରେ ସାତୋଟି ମ୍ୟାଚ୍ ଖେଳିବ । ଆଇପିଏଲ୍ ୨୦୧୯ ପରେ ପ୍ରଥମ ଥର ପାଇଁ ସମସ୍ତ ଦଳ ଘରୋଇ ଗ୍ରାଉଣ୍ଡରେ ମ୍ୟାଚ୍ ଖେଳିବେ । କରୋନା ଭାଇରସ୍ ମହାମାରୀ ହେତୁ ୨୦୨୦ ରେ ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଏଥି ସହିତ, ୨୦୨୧ ମସିହାରେ ଭାରତର କିଛି ପଡିଆରେ ମ୍ୟାଚ୍ ଖେଳା ଯାଇଥିଲା । କିନ୍ତୁ କରୋନା ମହାମାରୀ ହେତୁ ଏହାକୁ ମଧ୍ୟଭାଗରେ ବନ୍ଦ କରି ୟୁଏଇ ସ୍ଥାନାନ୍ତରିତ କରାଯାଇଥିଲା । ୨୦୨୨ ମସିହାରେ ଏହି ଟୁର୍ଣ୍ଣାମେଣ୍ଟ ସମ୍ପୁର୍ଣ୍ଣ ଭାରତରେ ଖେଳା ଯାଇଥିଲା । କିନ୍ତୁ ମୁମ୍ବାଇ ପୁଣେରେ ଲିଗ୍ ମ୍ୟାଚ୍ ଏବଂ ଅହମ୍ମଦାବାଦ ଓ କୋଲାକତାରେ ପ୍ଲେ ଅଫ୍ ମ୍ୟାଚ୍ ଗୁଡିକ ଖେଳାଯାଇଥିଲା ।